ନିଗଡ଼ ନିଶ୍ୱନ

 

 

 

 

 

 

 

 

 

 

 

ନିଗଡ଼-ନିସ୍ୱନ

ଶ୍ରୀ ହରେକୃଷ୍ଣ ମହତାବ

 

ସୂଚୀପତ୍ର

 

୧.

ଯୁବକର ସ୍ୱପ୍ନ

ଶ୍ରୀ ହରେକୃଷ୍ଣ ମହତାବ

୨.

ମରୀଚିକା

ଶ୍ରୀ ନିତ୍ୟାନନ୍ଦ ମହାପାତ୍ର

୩.

ଦେଶ ଓ ଜାତି

ଶ୍ରୀ ରାମଶଚନ୍ଦ୍ର ମହାନ୍ତି

୪.

ଶୁଣିବ କି ଭାଇମାନ !

ଶ୍ରୀ ଗିରୀଶଚନ୍ଦ୍ର ବୋଷ

୫.

ଜୀବନ-ଯାତ୍ରା

ଶ୍ରୀ ପ୍ୟାରୀ ଶଙ୍କର ରାୟ

୬.

ମୋ ଦୋଶ ନ ଘେନ

ଶ୍ରୀ ବାଞ୍ଛାନିଧି ମହାନ୍ତି

୭.

ଚିତ୍ର

ଶ୍ରୀ ବିଶ୍ୱନାଥ ହୋତା

୮.

ବନ୍ଦୀର ସ୍ଵପ୍ନ

ଶ୍ରୀ ବିପିନ୍‌ଚନ୍ଦ୍ର ସାହୁ

୯.

କାରା କୋକିଳ

ଶ୍ରୀ ବୀର କିଶୋର ଦାସ

୧୦.

ସତ୍ୟ

ଶ୍ରୀ ଗୌରାଙ୍ଗଚରଣ ମହାନ୍ତି

୧୧.

ପ୍ରାର୍ଥନ

ଶ୍ରୀ ଆକୁଳାନନ୍ଦ ବେହେରା

୧୨.

ନିଶୀଥେ

ଶ୍ରୀ ବିପିନ୍‌ ଚନ୍ଦ୍ର ସାହୁ

୧୩.

ରଣରଥୀ

ଶ୍ରୀ ଶରତ୍‌ଚନ୍ଦ୍ର ରାୟ ମହାପାତ୍ର

୧୪.

ମୁକ୍ତିଚିନ୍ତା

ଶ୍ରୀ ଗୌରଙ୍କ ଚରଣ ମହାନ୍ତି

୧୫.

ଆକାଶ କଇଁଆ

ଶ୍ରୀ ନିତ୍ୟାନନ୍ଦ ମହାପାତ୍ର

୧୬.

ନାହିଁ ଅବସର

ଶ୍ରୀ ହରେକୃଷ୍ଣ ମହତାବ

୧୭.

ଦୋଳ ପୂର୍ଣ୍ଣିମା

ଶ୍ରୀ ବାଳକୃଷ୍ଣ ମହତାବ

୧୮.

ବିଡ଼ମ୍ୱନା

ଶ୍ରୀ ଚକ୍ରଧର ଶତପଥି

୧୯.

ଉବ୍ଦୋଧନ

ଶ୍ରୀ ଗଜେନ୍ଦ୍ର ନାଥ ସାହୁ

Image

 

ଅତୀତର ଦୁଃଖର ଜୀବନ ସ୍ମରଣ କଲେ ଯେ ସୁଖ ଅନୁଭୂତ ହୁଏ ତାହା ବର୍ଣ୍ଣନା କରିବା କଠିନ । ବିଖ୍ୟାତ ଇଂରେଜ କବି ଲେଖି ଅଛନ୍ତି :–

 

‘‘Our sweetest songs are those

That tell of saddest thoughts”

 

ଦୁଃଖର ଚିନ୍ତାରେ ଭରା ସଙ୍ଗୀତହିଁ ମଧୁରତମ । ଏହାକୁ ଟିକିଏ ପରିବର୍ତ୍ତନ କରି କୁହାଯାଇପାରେ ଯେ ଦୁଃଖର ସ୍ମୃତିହିଁ ସବୁଠାରୁ ସୁଖର । ଆଜି କଂଗ୍ରେସର ଯେ ଅବସ୍ଥା, ସେଥିରେ ଅନେକ ନୂତନ କଂଗ୍ରେସ ଲୋକ ମଧ୍ୟ କଳ୍ପନା କରି ପାରିବେ ନାହିଁ–କିପରି ଦୁଃଖ ଓ ନିର୍ଯାତନା ମଧ୍ୟଦେଇ କଂଗ୍ରେସ ଗତିକରି ଆସି, ବର୍ତ୍ତମାନ ଅବସ୍ଥାରେ ପହୁଁଞ୍ଚିଛି ।

 

୧୯୩୦ ସାଲ ଲବଣ-ସତ୍ୟାଗ୍ରହ ସମୟରେ ପାଟଣାରେ ଯେଉଁ କେମ୍ପଜେଲ ହୋଇଥିଲା ଓ ଯେଉଁ ଠିକ୍‍ ପ୍ରାୟ ଚାରି ହଜାର ରାଜନୈତିକ ବନ୍ଦୀଙ୍କୁ ରଖା ହୋଇଥିଲା, ସେଇଠି କେତେ ମାସ ରହିବାର ସୌଭାଗ୍ୟ ମୋର ଘଟିଥିଲା । ସେ ବନ୍ଦୀଶାଳାର ଅବସ୍ଥା ଆଜି ଅନେକ କଳ୍ପନା କରି ପାରିବେ ନାହିଁ । ସେତେବେଳେ ଜେଲରେ ରହିବାରେ ସୁଖ ଥିଲା, କାରଣ ସେଠି ବେଶୀ ଦୁଃଖ ଥିଲା । ସେ ସମୟରେ ଉପସ୍ଥିତ ଦୁଃଖକୁ ହସ ଖେଳରେ ଉଡ଼ଇ ଦେବାପାଇଁ ନାନାଦି ବ୍ୟବସ୍ଥା କରାଯାଇଥିଲା । ସେଥି ମଧ୍ୟରୁ ଗୋଟିଏ ଥିଲା କବିତା ରଚନା ଓ ସେଥିରେ ପ୍ରତିଦ୍ୱନ୍ଦିତା । ସେହି ସମୟର ରଚିତ କବିତାମାନଙ୍କ ମୁଁ ଜୀବନର ଧନ କରି ସାଇତି ରଖିଥିଲି । ସେଥିରେ କେତୋଟି ବଚ୍ଛା ହୋଇ ଏଥିରେ ପ୍ରକାଶିତ ହେଉଛି ।

 

ଲେଖକମାନଙ୍କ ମଧ୍ୟରୁ ଅନେକ ଆଜି ଇହ ଧାମରେ ନାହାନ୍ତି, କେତେକ, ହୁଏତ, କଂଗ୍ରେସ ସହିତ ଆଉ ସମ୍ପର୍କ ରଖିନାହାଁନ୍ତି । କିନ୍ତୁ ସମସ୍ତେ ମୋର ଆଦରର ସ୍ମୃତି । ସମସ୍ତଙ୍କଠି ଦେଶ କୃତଜ୍ଞ । ଯେଉଁମାନେ ସ୍ୱର୍ଗରେ ଅଛନ୍ତି, ସେମାନଙ୍କୁ ଏହି ପୁସ୍ତକ ପ୍ରକାଶକରି ମୋର ସ୍ନେହର ଅର୍ଘ୍ୟ ଅର୍ପଣ କରୁଅଛି । ସେମାନଙ୍କପାଇଁ ବର୍ତ୍ତମାନ ସୁଦ୍ଧା ମୋ ଆଖିରେ ଲୋତକ ବିନ୍ଦୁଟି ରହିଛି ଓ ଆଜୀବନ ତାହା ଶୁଖିବ ନାହିଁ । ଯେଉଁମାନେ ଆଜି କଂଗ୍ରେସରେ ନାହାନ୍ତି, ସେମାନଙ୍କ ପ୍ରତି ମୋର ସେହିପରି ମଧ୍ୟ ଶ୍ରଦ୍ଧା ରହିଛି । ସମସ୍ତଙ୍କ ଆଜି ଏହି ଅବସରରେ ମୋର ଶ୍ରଦ୍ଧା ଜ୍ଞାପନ କରୁଛି । ଆଜି ସେମାନଙ୍କ ଶ୍ରମ ସାର୍ଥକ ହୋଇଛି- ସେମାନଙ୍କ ତ୍ୟାଗ ଓ ଦୁଃଖପାଇଁ ଗର୍ବ କରିବାର ଅବସର ମିଳିଛି ।

 

ଅଗଷ୍ଟ ୧୫,୧୯୪୭

ଶ୍ରୀ ହରେକୃଷ୍ଣ ମହତାବ

କଟକ

 

Image

 

ଯୁବକର ସ୍ୱପ୍ନ

 

ଭାବେ ଯେବେ ଆମଦେଶ ନୁହଇ ଆମର,

ଆମ ଘରେ ରାଜା ଆସି ହୁଏ ସାତପର,

ଇଚ୍ଛାହୁଏ ହୁଅନ୍ତାକି ଅସୀମ ଶକତି,

କରନ୍ତ ସ୍ୱାଧୀନ ଦେଶ–ଏକା ମୁଁ ତଡ଼ନ୍ତି !

କରନ୍ତି ଚୂର୍ଣ୍ଣ ବିଚୂର୍ଣ୍ଣ ଟିକି ଟିକି କରି

ଅଧୀନତା ଶିର, ଜଣେ ସୁଦ୍ଧା ନ ରହନ୍ତେ ଅରି !

ବିଭବରେ ପୂରି ହସି ଉଠନ୍ତା ମୋ ଦେଶ,

ହୋଇ ଯାନ୍ତା ସବୁ ଦୁଃଖ ଏକବାରେ ଶେଷ !

ଗାଆନ୍ତା ଜଗତ ଜୟ ସ୍ୱାଧୀନ ଭାରତ,

ପୁଲକେ ଶୁଣନ୍ତି ମୁଁହି ସେ ଗାନ ମହତ l ୧ l

 

ଶୁଣେ ଯେବେ ବୀରଙ୍କର ପୁଣ୍ୟ ଯଶ କଥା

ଦେଶ ପାଇଁ ତ୍ୟାଗ, ତାଙ୍କ ବୀରତ୍ୱ ବାରତା;

ଇଛା ହୁଏ ହୁଅନ୍ତିକି ମୁଁହି ଜଣେ ବୀର !

ରହନ୍ତା ଜଗତେ ମୋର ପୁଣ୍ୟ କୀର୍ତ୍ତି ଚିର l

ଶିବାଜୀ, ପ୍ରତାପ ଅବା ବୀର ରଣଜିତ

ତାଙ୍କ ସଙ୍ଗେ ହୁଅନ୍ତା ମୋ ସୁନାମ ଲିଖିତ l

ନେପୋଲିୟନ ଅବା ବିଶ୍ଵଜୟୀ ସିକନ୍ଦର

ହୁଅନ୍ତାକି ତାଙ୍କ ପରି ମୋ ନାମ ଅମର l ୨ l

 

ଶୁଣେ ଯେବେ କାହାମୁଖୁ ସୃଷ୍ଟିର ମହତ୍ତ୍ୱ,

ଇଚ୍ଛାହୁଏ ଜାଣିବାକୁ ମୋର ଆତ୍ମତତ୍ତ୍ୱ l

ବୁଝନ୍ତି,ଦେଖନ୍ତି ମୁଁହି କିଏ ସେ ମୂଳରେ

ସାରା ବିଶ୍ୱ ପଛ ଆଡେ ରହେ ଗୋପନରେ l

ନଚିକେତା ପରି ମୁଁହି ମୃତ୍ୟୁ ମୁଖେ ଯାଇ

ଖୋଜନ୍ତି ବିଶ୍ୱର ତତ୍ତ୍ୱ ରହିଅଛି କାହିଁ l

ହୁଅନ୍ତି ମୁଁ ଆତ୍ମଦର୍ଶୀ ଶୁକବ୍ୟାସସମ

ଜାଣନ୍ତି ବିଶାଳ ଏହି ସୃଷ୍ଟି- ଉପକ୍ରମ l

ବିଶ୍ୱର ଏ ପ୍ରହେଳିକା କରି ସମାଧାନ,

କରନ୍ତି ଜଗତେ ମୁହିଁ ଶାନ୍ତିର ବିଧାନ l ୩ l

 

ଚାରିଆଡେ ଦେଖେ ଯେବେ ରୋଗ ଦୁଃଖ ଭରା-

ଦୀର୍ଘଶ୍ୱାସେ ହାହାକାରେ ପୂରିଅଛି ଧାରା,

ଇଛାହୁଏ ଥାଆନ୍ତାକି ଶକତି ମୋହର

ଦୂର କରନ୍ତି ମୁଁ ଦୁଃଖ; ଶୋକ ଜଗତର ।

କାହାରି ହୃଦୟ କେବେ ନ ହୁଅନ୍ତା ଭାରି

କଉଣସି ଦୁଃଖେ କେହି ନ ହୁଅନ୍ତା ଘାରି l

ନ ପକାନ୍ତେ କେହି କେତେ ଦୀର୍ଘ ଶ୍ୱାସ ଥରେ

ନରହନ୍ତା ହାହାକାର ଶବ୍ଦ ଜୀବନରେ l

ନ ବୁହନ୍ତା ବିନ୍ଦୁଟିଏ ଲୋତକ ଆଖିରୁ

ହୁଅନ୍ତା ସମୂଳେ ଦୁଃଖ ବିଲୋପ ମହୀରୁ l ୪ ।

 

ଯୁବକ ମୁଁ-ଏହିପରି ଦେଖଇ ସ୍ୱପନ,

ସ୍ୱପ୍ନରେ ହିଁ ଗଢ଼ା ମୋର ତରୁଣ-ଜୀବନ ।

ନ ଦେଖିବି ଯେଉଁଦିନ ସ୍ୱପ୍ନ ଆଉ କେବେ

ତରୁଣତା ସାଙ୍ଗ ହେବ ସେହିଦିନ ତେବେ ।

ପୁଣି ଭାବେ ସବୁ ହେବ କର୍ମ କଲେ ସିନା !

ଖାଲି ଇଛା ନିରର୍ଥକ ସ୍ୱପ୍ନ-କର୍ମ ବିନା ।

ନିରର୍ଥକ ସ୍ୱପ୍ନ ସିନା ସବୁ ଦୁଃଖ ଜଡ଼

ଅଶାନ୍ତି ବିକ୍ଷିପ୍ତ କରେ ମନ ନିରନ୍ତର l

କର୍ମହୀନ-ମିଥ୍ୟା-ସ୍ୱପ୍ନ ନ ଜାଗୁ ଏ ମନେ

କର୍ମମୟ ସତ୍ୟ ସ୍ୱପ୍ନ ଦେଖେଁ ଅନୁକ୍ଷଣେ l

ଶରୀରର ପ୍ରତିବିନ୍ଦୁ ଶୋଣିତ ଶୁଖାଇ,

କର୍ମବଳେ ସ୍ୱପ୍ନ ସତ୍ୟ ଦିଏ ମୁଁ କରାଇ ।୫।

 

ଶ୍ରୀ ହରେକୃଷ୍ଣ ମହତାବ

Image

 

ମରୀଚିକା

(୧)

 

କିଏ ଯେ ସେ ଚିତ୍ରିଗଲା ଚାରୁ ତୂଳି ଚାଲି,

ଶୈଶବର ସୁକୁମାର ସୁଗୋଲ ବଦନେ-

ମନ୍ଦହାସେ ରକ୍ତ ଆଭା, ଯେହ୍ନେ ଅଂଶୁମଳୀ

ଦିଗବଳୟେ ରଙ୍ଗା ମେଘ ଉଡାଏ ପବନେ ।

କିଏ ସେହି ସୁରଚିକା-ମୁଁହିଁ ତ ନ ଜାଣେ

ମରୀଚିକା ମାତ୍ର ଯାହା ସେ ରଚିକା ଟାଣେ ।

 

କିଏ ସେ ଯେ ଚିତ୍ରିଗଲା ଚାରୁ ତୂଳି ଚାଳି,

ଯୌବନର କମନୀୟ ପ୍ରଫୁଲ୍ଲ ବଦନେ-

ମନ୍ଦହାସେ ପ୍ରେମଧରା ଯେସନେ ଆସ୍ଫାଳି,

ରତ୍ନାକର ଉତ୍‍ଫୁଲ୍ଲଇ ଢେଉ ଉତ୍ତୋଳନେ ।

କିଏ ସେହି ସୁରଚିକା ମୁହିଁତ ନଜାଣେ

ମରୀଚିକା ମାତ୍ର ଯାହା ସେ ରଚିକା ଟାଣେ ।

 

କିଏ ସେ ଯେ ଚିତ୍ରିଗଲା ଚାରୁ ତୂଳି ଚାଳି,

ପ୍ରୌଢ଼ରସେ ଶାନ୍ତିମୟ ଚତୁର ବଦନେ,

କର୍ମଠତାଭାବ ଯେହ୍ନେ ଗିରି ଦିଏ ଢାଳି,

ସ୍ରୋତସ୍ଵିନୀ ବକ୍ଷେ ସ୍ରୋତଧାରା ଘନଘନେ ।

କିଏ ସେହି ମରିଚିକା ମୁହିଁତ ନ ଜାଣେ

ମରୀଚିକା ମାତ୍ର ଯାହା ସେ ରଚିକା ଟାଣେ ।

 

କିଏ ସେ ଯେ ଚିତ୍ରିଗଲା ଚାରୁ ତୂଳି ଚାଳି,

ଵୃଦ୍ଧର ସେ ଲୋଳ ଚର୍ମ, ବିଶୁଷ୍କ ବଦନେ,

ସକରୁଣ ଶୁଷ୍କ ହାସ୍ୟ; (ଅଶ୍ରୁବାରୀ ଢାଳି)

ଶୁଷ୍କ ଦୁର୍ବାଦଳ ଯଥା ଶିଶିରପତନେ,

କିଏ ସେହି ସୁରଚିକା ମୁହିଁ ତ ନ ଜାଣେ

ମରୀଚିକା ମାତ୍ର ଯାହା ସେ ରଚିକା ଟାଣେ ।

 

(୨)

 

ଯୌବନର ଅଟ୍ଟହାସେ ରେ ପଥିକ ପ୍ରେମ-ତୃଷାତୁର,

ପଡୁଛୁ ଝାଉଁଳି ଯେବେ ଅଗ୍ରସର ହୁଅରେ ଚାତୁଳ !

ମାର୍ଗ ଏହି ଅତୀବ କୁହୁକ

ଛାୟା ଯାହା ମାୟାର ଚୁମ୍ବକ-

ସମାଜହିଁ ବୃକ୍ଷ ଏଥି, ଦମ୍ଭ ଧର ମନରେ ଅତୁଳ-

ଲକ୍ଷେ ଯୋର ଯାଅ ଚାଳି ସ୍ଥିର ଭାବେ ଅଚଳ ଅଟଳ ।

 

ତହିଁ ତୋର ମେଣ୍ଟିବ ପିପାସା,

ଅନ୍ୟ ଦିଗେ ନ ବଳାଅ ଆଶା,

ଯେଣୁ ସେ ସଲିଳ ତୋତେ ଦେଖା ଦେଇ କରିବ-

ମରିଚିକା ମାତ୍ର-ତାହା ବୃଥା ସବୁ ନ ଭୁଲ ଚତୁର ।

 

ଶ୍ରୀନିତ୍ୟାନନ୍ଦ ମହାପାତ୍ର

Image

 

ଦେଶ ଓ ଜାତି

(୧)

 

ଅଂଶୁମାନ ଦୀପ୍ତି ମାନ୍‌ ରଶ୍ମି ବିକିଦିଏ,

ବଇଶାଖୀ ରୌଦ୍ର ତାପ ଧରା ଝଲସାଏ l

ରିକ୍ତ ହସ୍ତେ ଘର୍ମସିକ୍ତ ପଥିକ ଏକାକୀ

ଚଳେ ଲକ୍ଷ୍ୟସ୍ଥଳେ ଧୀରେ ନିଜ ରାହା ଟାକି ।

ତୃଷାତୁର, ଘନ ଘନ ବହଇ ନିଃଶ୍ୱାସ

ମୃତ୍ୟୁଞ୍ଜୟ ମୁହୂର୍ତ୍ତରେ ସଞ୍ଚାରେ ତରାସ l

ଦୂରେ ଦେଖି ବାଲି ରାଶି-ରଶ୍ମି ପ୍ରତିଫଳେ

(ଯାହା) ସାଗରେ ତରଙ୍ଗ ସମ ଭ୍ରମ ଆଶେ ଜଳେ,

ଆଶାନ୍ଵିତ ଯାତ୍ରୀ ଧାଏଁ ବାରି-ପାନ-ଆଶେ

ହୁଡ଼ି ନିଜ ପଥ; ମାତ୍ରଦେଖେ ଅବଶେଷ-

ଜଳ ନୁହେଁ ତପ୍ତବାଲି ବିଭୀଷିକା ମୟ;

ଚିତ୍ତ ତୃପ୍ତ ହେବ କାହିଁ ? ହୁଅଇ ଅଥୟ ।

ମାୟା-କୁହୁକିନୀର ଏ ଲୀଳା ପରିଚିତ

ମରିଚିକା ମାତ୍ର ନାମେ ଜଗତେ ବିଦିତ ।

 

(୨)

 

ପ୍ରତିଦିନ ପ୍ରତିକ୍ଷଣେ ନବ ନବ ବେଶେ

କଳ୍ପନା ସୁନ୍ଦରୀ ରାଜେ ମାନବ-ମନସେ l

ଘଡିକେ ନନ୍ଦନବନ ମର୍ତ୍ତ୍ୟେ ଉପୁଜାଇ,

ମରୁବକ୍ଷେ ସୁଶୋଭନ ଉଦ୍ୟାନ ରଚଇ ।

କିନ୍ତୁ ସିନା ସବୁତକ ବହୁରୂପୀ ରଙ୍ଗ,

ବଇଶାଖୀ ଝଞ୍ଜାବେଳେ ମରୀଚିକା ଢଙ୍ଗ l

ସରସ ବସନ୍ତ ଚିର ନ ରାଜେ ଧାରାରେ,

ଉତପ୍ତ ନିଦାଘ ଅନ୍ତେ ବାରି ଧାରା ଝରେ ।

ଋତୁଚକ୍ରେ ପରିବର୍ତ୍ତ ସମ ଅନିବାର

ଧନ, ଜନ, ମାନ, ଦାରା, ପୁତ୍ର, ପରିବାର-

ସରବେ ଅନିତ୍ୟ, ଦିନେ ମୃତ୍ୟୁ କବଳରେ

ପଡ଼ିବେ ନିଶ୍ଚୟ, କେହି ଅନ୍ୟଥା ନକରେ ।

ମୋର, ମୋର’ ବୋଲି ଯାକୁ କହଇ ସଂସାରୀ

ମରୀଚିକା ମାତ୍ର ତାହା କେ ନୁହେଁ କାହାରି ।

 

(୩)

 

ଶେଫାଳୀର ରୁପ ଆହା କିବା ମନୋହର

ପରିମଳ ବିତରଣେ ବାସ ସୁମଧୁର ।

(କିନ୍ତୁ) ସଞ୍ଜେଫୁଟି ସକାଳେ ତା ଲୋଟେ ମହୀତଳେ,

(ଯଥା) ନବୋଦିତ ସୂର୍ଯ୍ୟ ଲୁଚେ ମେଘ ଆଢ଼ୁଆଳେ ।

ଶିଶୁଟିର ଦରହାସ ଦରୋଟି ବଚନ ।

ଯୁବକର ପ୍ରେମସିକ୍ତ ଉଦ୍ଦାମ ଯୌବନ ।

ବିଦ୍ୟୁତର ଆଭା ଅବା କୋକିଳ କୂଜନ

ଏ ସକଳ ସିନା ମାୟା-ସୃଜନ କଳ୍ପନା ।

ମରୀଚିକା ସମ ସବୁ ଉଭାଏ ନିମିଷେ ।

ଡୁବାଇ ଉଦ୍‍ଭ୍ରାନ୍ତ ଚିତି ଅଶେଷ ନୈରାଶ୍ୟେ ।

Image

 

(୪)

 

ଦୁର୍ଦ୍ଦାନ୍ତ ପ୍ରତାପବାନ୍ କାହଁ ସେହି ରୋମ

କମ୍ପୁଥିଲା ଦିନେ ଯାର ତେଜେ ମର୍ତ୍ତ୍ୟ ବ୍ୟାମ !

ଢାଳିଲେ ଦିନେ ଜଗତେ ଉନ୍ନତିର ଭାତି

ଯେଉଁ ଉଜିପୁର ଲୋକେ, କାହିଁ ସେହି ଜାତି ?

କେଉଁ ରସାତଳେ ଆଜି ପଡ଼ିଛି ଭାରତ-

ଜ୍ଞାନଦୀପ ଘେନି ବିଶ୍ୱେ ଦେଖାଇଲା ପଥ ।

ଆଧ୍ୟାତ୍ମିକ ମାର୍ଗେ ହୋଇଥିଲା ଯେ ଅଗ୍ରଣୀ

ଦାସତ୍ୱ ବଂଧନେ ସେହି ହୁଏ ଆଜ ଟାଣି

ଉତ୍ଥାନ ପତନ ସବୁ ମରୀଚିକା ପରି ।

‘ଆଜି ସେ ରାଜେନ୍ଦ୍ରାସନେ କାଲି ସେ ଭିକାରୀ ।’

 

ଶ୍ରୀ ରମେଶଚନ୍ଦ୍ର ମହାନ୍ତ

Image

 

ଶୁଣିବ କି ଭାଇମାନେ !

(୧)

 

ବସନ୍ତ ପବନ ଆସି ଧୀରେ ଧୀରେ ବହିଲା

ତରୁ, ଲତା, ବନ, ଗିର, ନବବେଶ ଧଇଲ। ।

ଏ ନୂଆ ସମୟ ସବୁ ନୂଆ ନୂଆ କଥା-

ନୂଆ ନୂଆ କାମ, ପୁଣି ନୂଆ ନୂଆ ପ୍ରଥା ।

 

ଆଜି ଏକ ନୂଆ କଥା ଶୁଣିଲା ଶ୍ରବଣ

“ମରିଚିକା ମାତ୍ର” ଏକ କବିତା କରିଣ-

(ଭାଇମାନେ) ଦେଖାଇବ କର୍ମି ସମ୍ମିଳନୀ ଦିନ ।

ଶୁଣିବକି ଭାଇମାନେ ବାରେ ଦୟା ବହି ।

 

ଏ ପଦ ଶେଷେ କବିତା ପଢୁଅଛି ମୁହିଁ ।

ଦିନେ ମୁଁ ଅଲକା କୂଳେ ବସି ଏତାନ୍ତରେ

(ଦେଖୁଥିଲି) ସୂର୍ଯ୍ୟଦେବ ଯାଉଛନ୍ତି ଆପଣା ଗୃହରେ ।

ଧାଇଁଲି ମୁଁ ତାଙ୍କ ପଛେ ଆଣିବି ଫେରାଇ

 

ତାଙ୍କ ବିଚ୍ଛେଦ ଭାଇ ମୁଁ ନପାରଇ ସହି ।

ଏ ସମୟେ ଶୁଣି କାର ସୁମଧୁର ସ୍ୱର

ତନ୍ନ, ତନ୍ନ କରି ଖୋଜିଲା ନୟନ ମୋହର ।

 

ଦେଖିଲି ଅନେକ ଦୂରେ ବୃକ୍ଷ ଅନ୍ତରାଳେ

ପିକରାଣୀ ବସି ଗାଏ କୁହୁ କୁହୁ ସ୍ୱରେ ।

ଶୁଣି ସେ ସଙ୍ଗୀତ, କ୍ରୋଧେ ମୋହର ହୃଦୟ

ଥରି ଉଠିଲା–ତେଣୁ ମୁଁ ହୋଇଲି ଅଥୟ ।

 

ଭାବିଲି ମୋ ସମ ଗାୟକ ନାହିଁ ଏ ଅଞ୍ଚଳେ

ଏ କେଉଁ ଦେଶୁ ଆସିଲା ଭଣ୍ଡିବାକୁ ମୋରେ !

ତେଣୁ ଖୋଲି ଦେଲି ମୋର ରୁଦ୍ଧ କଣ୍ଠଦ୍ୱାର

ଯୁଝିଲି ତାଙ୍କ ସଙ୍ଗତେ ଗୋଟିଏ ପ୍ରହର ।

 

ଯୁଝି ଅଣା ବିପରୀତ ଫଳ ମୁଁ ପାଇଲି,

ସର୍ବଶେଷେ ‘ପ୍ରହେଳିକା ସତେ’ ମୁଁ ବୁଝିଲି !

ଶ୍ରୀ ଗିରୀଶଚନ୍ଦ୍ର ବୋଷ

Image

 

ଜୀବନ-ଯାତ୍ରା

(୧)

 

ଧୀରେ, ଧୀରେ ହରିତାଶ୍ୱ ବିଜେକଲେ ଅସ୍ତାଚଳ ଶିରେ

ସନ୍ଧ୍ୟାଦେବୀ ଅଞ୍ଚଳ ସଞ୍ଚାଳି ଧୀର ସୁବାସ ସମୀରେ,

ବିଜେକଲେ ଧରା ବକ୍ଷେ, ଅନ୍ଧାରିତ ହେଲା ମହୀ

ବଦ୍ଧ ଏକ, ବସି ନୀଳ ପାରାବାର ତୀରେ ଭାବିଲା

“ମୋର କି କେହି ନାହଁ” ?

 

ପଡ଼ି ଗଲା ମନେ ତାର ଅତୀତର ସୁମଧୁର କଥା

ବାଲ୍ୟ କାଳେ, ମାତୃକ୍ରୋଡ଼େ, ପରିଜନମେଳେ ବସି

ଦୁଗ୍ଧପାନ କରୁଥିଲା କି ମଧୂରେ ହସି, ମୋହୁଥିଲା ସର୍ବହୃଦ ।

 

ପାପ ତାପ ଲେଶମାତ୍ର ପରଶି ନଥିଲା,

ଅମୃତ ସନ୍ତାନ ବୋଲି ଜଗତ ଘୋଷିଲା ।

କ୍ରମେ ପଞ୍ଚମ ବରଷ ପ୍ରବେଶେ, ଗଲା ସେହୁ ବିଦ୍ୟାଳୟେ

ସର୍ବୋତ୍କୃଷ୍ଟ ଛାତ୍ର ବୋଲି ବୋଇଲେ ଶିକ୍ଷକ-

ନାନ। ପୁରସ୍କାର ଉପାଧିରେ ଅଳକୃତ ହୋଇ

ଦିନେ, ନିଜେ ବୋଲାଇଲେ ପରୀକ୍ଷକ ।

 

ଏହି ପରି ବିତିଗଲା ଅର୍ଦ୍ଧେକ ଜୀବନ

ଯୁବକ ଘୋଷିଲା ତାକୁ ଏ ବିଶ୍ୱ ଭୁବନ ।

ଭାବିଲା ଧରାକୁ ସରା, ନାହିଁ ମୋର ପର କେହି

ପାଞ୍ଚି ନିଜ ମନେ, ପାପର ପଙ୍କିଳ ପଥେ

ଗଲା ସେ ତ ବହି ।

ମନେ କଲା ଯୁବକ ମୁଁ,

ଯେତେ ଦିନ ସୂର୍ଯ୍ୟ, ଚନ୍ଦ୍ର ବ୍ୟାପିବେ ଭୁବନ

ତେତେଦିନ ରହବ ମୋ ଏ ମଧୁ ଯୌବନ

(ତାର) କେତେ ସଖା ଯୁଟି ଗଲେ, ହେଲେ ଅନ୍ତରଙ୍ଗ–

ସଖାମେଳେ କେତେ କାଳ କଲା କେତେ ରଙ୍ଗ,

କ୍ରମେ କ୍ରମେ ତା ଶରୀର ବାର୍ଦ୍ଧକ୍ୟ ଗ୍ରାସିଲା

ଅର୍ଥଶୂନ୍ୟ ହୋଇ କ୍ରମେ ଶଖାଶୂନ୍ୟ ହେଲା ।

 

ଗୃହଶୂନ୍ୟ ହୋଇ ଶେଷେ ବୁଲି ନାନା ଦେଶ

ଆସିଛି, ସାଗରତୀରେ ଯାପିବ ତା’ ଜୀବନର ଶେଷ ।

ଅତୀତ-ଜୀବନ-କଥା ହୋଇଲା ସମାପ୍ତ,

କହିଲା ଗମ୍ଭୀର ସ୍ୱରେ,ଶୁଣିଲ ଯୁବକ ମୋ ଯୌବନର କଥା ।

 

ଯୌବନ ମୋହରେ ପଡ଼ି କଳଙ୍କିତ କର ନା ମୋ ଗାନ୍ତ୍ର

ଯୌବନଟା ସିନା ଛାର ମାୟାଜାଲ ମାନ୍ତ୍ର ।

ଯଦି ଶାନ୍ତି ଲଭିବୁ ତୁ ଏ ମର ଜୀବନେ-

ଅଖିଳ ବ୍ରହ୍ମାଣ୍ଡନାଥେ ଅର୍ପିଣ ଜୀବନେ ।

କରିଯାଅ କାର୍ଯ୍ୟ

ଶେଷେ ଲଭିବୁ ଅନନ୍ତ ଐଶ୍ୱର୍ଯ୍ୟ ।

 

ଶ୍ରୀ ପ୍ୟାରୀଶଙ୍କର ରାୟ

Image

 

ମୋ ଦୋଷ ନ ଘେନ

(୧)

 

ପୂରୁବକୁ ମିଶାଇବି ପଶ୍ଚିମ ସଙ୍ଗତେ

ରବି ଉଦେ କରାଇବି ପୁଣି ସେ ଦିଗରେ । ୧ ।

ଆକାଶ ପାତାଳ ଏକ ମେଳେ ମୁଁ ରଖିବ

ଫାନ୍ଧ ପାତି ପବନକୁ ସଜୋରେ ବାନ୍ଧିବ । ୨ ।

ଶଶାଙ୍କ କରିବି ଉଦେ ଅମା ରଜନୀରେ,

ନିର୍ଝର ସାଗର ଶୁଖାଇବି ସେହି କରେ । ୩ ।

ଭୂଧର ଶିରେ ମୁଁ ଫୁଟାଇବି ସରୋଜିନୀ

ତା' ଜଳଧାରେ ଛେଦିବି (ମୁଁ) ମହାଦ୍ରୁମ ପୁଣି । ୪ ।

କ୍ଷଣପ୍ରଭା ସ୍ଥିର କରାଇବି ଗଗନରେ

ନିମ୍ନଗାକୁ ବୁହାଇବି ମୁଁ ଊର୍ଦ୍ଧ୍ୱ ଦେଶରେ । ୫ ।

ମହାଶ୍ରମେ ଫୁଟି,ଶ୍ରାନ୍ତ ହେଲି ଉଦ୍ଦେଗରେ

କଲପନା ମାନ୍ତ୍ର-ଶେଷେ ମଣିଲି ଫଳରେ । ୬ ।

ଜନନୀର ଯେଣୁ ଦୟା ନାହିଁ ଅଧମରେ

ଲୁଚି ମୁଁ ପଶିଲି ଲୋଭେ କବିତା କୁଞ୍ଜରେ । ୭ ।

ଚୋର ପରି ତର ତର ତୋଳି ସେ କୁସୁମ

ଇତସ୍ତତେ ଗୁନ୍ଥିଲି ମୁଁ, ନାହିଁ ତାରତମ୍ୟ । ୮।

ମହାସନ୍ ଆଦରେ ମା ଗୁନ୍ଥାହାର ଘେନ

କୁତାଞ୍ଜଳି ପୃଟେ ଅର୍ପେଁ-ମୋ ଦୋଷ ନଘେନ । ୯ ।

 

ଶ୍ରୀ ବାଞ୍ଚାନିଧି ମହାନ୍ତି

Image

 

ଚିତ୍ର

 

ବସି ସେ ଏକାନ୍ତେ-ଭବେ କେତେ କେତେ

ଯେବେ ସୁଖ ଦୁଃଖ କଥା ମାନ

ଆସିଣ ସୁନ୍ଦରୀ ଦିବ୍ୟ ବେଶ ଧରି

ଦେଉ ମରୀଚିକା ଦରଶନ । ୧ ।

କେବେ ଆଶାବାଣୀ–ଭୟର ସରଣୀ

ଦେଖାଉ ତୋ ଇଚ୍ଛାରୂପ

ଖୋଲିଲେ ନୟନ–କରୁ ପଳାୟନ ।

ଦେଇ ମନେ ବୃଥା ତାପ । ୨ ।

ଭାବିଲେ ତୋ କଥା–ହୁଏ ମନେ ବ୍ୟଥା

ଗଢ଼ିଅଛି କେଉଁ ବିହି

କେତେ ରୂପ ତୋର ଅକଳନ ମୋର

ଦିଅ ଯଦି ପାର କହି । ୩ ।

(କଏ) ଭାବୁ ଅଛି ମନେ–ବସି ଦିବ୍ୟ ଧ୍ୟାନେ

ହେବ ବେଲି ନରଈଶ

(କିଏ) ସିଂହାସନୁ ଯାଇ–ବନରେ ଭ୍ରମଇ

ରଖିଜିବନର ଆଶ । ୪ ।

(କିଏ) ବଡ଼ ବଡ଼ କଥା–କହି ଦେଇ ମଥା

ହଲାଇଣ ବେନି ବାହୁ

ଆଦରଣ ଅବା–ଦେଖାଇଣ କେବା

ହେବା ପାଇଁ ବକ୍ତା ବାହୁ । ୫ ।

ହେଉ ଅନାଦର–ଶୁଣା ଯାଉନ୍ତ୍ରୂର

ଭାବେ ନାହିଁ ତାହା ତିଳେ,

ମରୀଚିକା ତୋର–ରୁପ ପ୍ରଭାକର

ତରୁସିନା ଏହା ବଳେ । ୬ ।

ଯାଉଛି ବାଟୋଇ ସାହା ନାହିଁ କେହ

ଭାଳି ନିଜ ଦୂର ପଥ

ଧୂଉ, ଧୂଉ ହୋଇ–ନିଆଁ ବରଷଇ

ପ୍ରଚଣ୍ଡ ରଉଦ୍ର ତାପ । ୭ ।

ତୁହି ମରୀଚିକା- ସାଥି ହେଉ ଏକା

ଦେଇଣ ସାହସ ମନେ

ଘେନି ଯାଉ ସିନା-ନକରି ବିମନା

ଘୂରି ବୁଲୁ ଥାଉ ବନେ । ୮ ।

ବୀର ଧନୁର୍ଦ୍ଧର-କୌଶଳୀ ପ୍ରବର

ଉଦ୍‍ଯେ।ଗୀ ନିରଭୀକ

ମାତ୍ର ମରୀଚିକା- ଉପୁକାର ଶଙ୍କା

କରିଦେଉ ବୁଡ଼ ବକ । ୯ ।

ଘେନି କୋଳେ ନାତି-ବୁଢ଼ା ବୁଢ଼ୀ ନିତି

ଖେଳନ୍ତି ସୁମରି ଦେବ

ଯୁବକ ଯୁବତୀ-ହରଷେ ମାତନ୍ତି

ଭାବି ନୂଆ ନୂଆ ଭାବ । ୧୦ ।

କୃପଣ ଧନୀକ–ସାଗରେ ବଣିକ

ଭାଳି ଧନ ଦଉଲତ

ହୁଅନ୍ତି ଅସ୍ଥିର–ହୁଏ ଯେବେ ଯୂର

ଚିନ୍ତି ମରୀଚିକା ଶତ । ୧୧ ।

ମରୀଚିକା ତୋର–କ୍ଷିତି ଖେଳଘର

ଜାଣି ନଜାଣନ୍ତି ଲୋକେ

ଭୟରେ ତୋହରି–ପାଇଁ ବନଗିରି

ଚିନ୍ତୁଥାନ୍ତି ବିହି ଥୋକେ । ୧୨ ।

ମରୀଚିକା ଗୁଣ–ଗୁଣି ଦେବଗଣ

ସୁମରନ୍ତି ପ୍ରଜାପତି

ଲଭିଣ ଜଜମ–ମହୀରେ କରମ

ସ।ଧିନେବେ ବୋଲି ଖ୍ୟାତି । ୧୩ ।

ଧନ୍ୟ ମରୀଚିକା–ଅଟୁ ତୁହି ଏକା

ବିଧାତା ଭିଆଣେ ସାର

କୁହକେ ଯାହାର–ଭୁଲି ସୁର ନର

ନିନ୍ଦନ୍ତି ଭୀଗ୍ୟ ଚକ୍ରର । ୧୪ ।

ମରୀଚିକା ମୟ–ସଂସାରେ ଅଥୟ

ନହୁଅ ବୃଥାରେ ଭାଇ

କାଶୀବାସୀ ନିତି–ଚିନ୍ତା ଦିନରାତି

କରିବେ ମୁକତି ସାଇଁ । ୧୫ ।

 

ଶ୍ରୀ ବିଶ୍ୱନାଥ ହୋତା

Image

 

ବନ୍ଦୀର ସ୍ଵପ୍ନ

 

ଅନ୍ଧକାରେ ବନ୍ଦୀଭାବେ ଥିଲି କାରାବାସେ

ଅଭୁତ ସ୍ୱପନ ଏକ ଦେଖିଲି ରଭସେ । ୧ ।

ରବିତାଜ ହେତୁ ମୋର ଶୂନ୍ୟର ମନ୍ଦିର

ଜଳିଯାଇ ଜ୍ୟୋତି ଉଡ଼େ ରିଙ୍ଗଣ ପ୍ରକାର । ୨ ।

ଦେଖି ପଞ୍ଚପ୍ରାଣ ମୋର ହୋଇଲା ଅସ୍ଥିର

କି କହିବି ବୋଲି ମୁଖୁଁ ନସ୍ରଚେ ଉତ୍ତର । ୩ ।

ଅଚାକ ପରାୟ ମୁହିଁ ରହି କିଛି କ୍ଷଣ,

ଡାକି ଡାକି ଜନନିକୁ-ଜଳିଲା ମୋ ପ୍ରାଣ । ୪ ।

କାହିଁ ଗଲା ଜନନୀ ମୋ–କାହିଁଗଲା ଘର !

କାହିଁଗଲା ପ୍ରେୟସୀ ମୋ ! ହେଲା ନାରଖାର । ୫ ।

ଦେଖି ମୋ ସୋଦର ମାନେ ହୋଇ ଆଚମ୍ବିତ

ବୋଇଲେ ଢଳିଣ ବାରି କର ତୁ ନିବୃତ୍ତି । ୬ ।

ତେଣୁ ମୁଁ ଘେନିଲି ହସ୍ତେ ସ୍ଵଣ୍ଣର କଳସୀ

ଜଳ ନେଇ ଯିବା ଅର୍ଥେ ହେଲି ଅଭିଳାଷୀ । ୭ ।

ନପାଇଲି ଜଳ କାହିଁ ନ ପାଇଲି ସ୍ଥଳ

ନବାଇଲି କାହିଁ ମୁହଁ ସିନ୍ଧୁ ନଦୀ କୂଳ । ୮।

ନପାଇଣ କାତରେ ମୁଁ ଅଇଲି ପଳାଇ

ପଥେ ଏକ ଦିବ୍ୟ ନାରୀ ପଥ ଓଗାଳର । ୯।

ପ୍ରେମେ ମତ୍ତ ହୋଇ ପ୍ରେମେ ଧରି ନେବା ପାଇଁ

ପ୍ରେମ ରଜ୍ଜୁ ଧରି ହସ୍ତେ ଅଛି ସେ ଅନାଇ । ୧୦ ।

ବାନ୍ଧିବ ବୋଲି କି ପଥ ଓଗାଳିଲା ମୋତେ

ନିରବ ଭାବେ କ୍ଷଣେ କି ଭାବିଲା ତା’ ଚିତ୍ତେ ।୧୧ ।

ପ୍ରେମ ଉନ୍ମାଦିନୀ ସେହି ମୁକୁଳିତ କେଶୀ

ଇଙ୍ଗିତ ବଚନେ ମନ୍ଦ ମୃଦୁବାଣୀ ଭାଷି । ୧୨ ।

ନୀରବ ନିସ୍ତବ୍ଧ ଭାବେ ମସ୍ତକ ନୁଆଇଁ

ରହିଲା ସେ କିଛିକ୍ଷଣ ଲାଜେ ଠିଆ ହୋଇ । ୧୩ ।

ଦେଖି ତାର ଉନ୍ନାଦିତ ମୁକୁଳିତ ବେଶ

ପ୍ରେମମୟ ପ୍ରେମଭାବେ ହୋଇଲା ଆବେଶ । ୧୪ ।

ଦେଖି ମୋର ରୂପ ଛବି କି ଭାଳିଲା ମନେ

କିଣି ନେଇ ମୋ ହୃଦୟ, ଚାହିଁଲା ନୟନେ । ୧୫ ।

ଇଙ୍ଗିତ ଭାବେ ଗାଇଲା ପ୍ରବୀଣ ସଙ୍ଗୀତ

ଆବେଶ କରାଇ ମୋତେ, ଛାଡ଼ିଦେଲା ପଥ । ୧୬ ।

ମୃଗ ତୃଷ୍ଣା ମଣି, ମୁହିଁ ହୋଇଣ ଅଧୀର

ପଛେ ପଛେ ଗୋଡ଼ାଇଲି, ବାମନ ପ୍ରକର । ୧୭ ।

ନ ପାଇଲି ଦେଖା କାହଁ ନପାଇଲି ଭେଟ

ମିଳିଗଲା ମୋତେ ସେହି ସିନ୍ଧୁ ନଦୀ ତଟ । ୧୮ ।

ଖର ତର ହୋଇ ଯହିଁ ବହୁଛି ଯମୁନା

ନାହିଁ ତାର ବାଦୀ କେହି ବିରିଞ୍ଚି-ରଚନା । ୧୯ ।

ସେ ଯମୁନା ଖରତରେ ବୋହି ଯାଏ ଆଜି

ସାମାନ୍ୟ ମାନବ କିବା ଦେଖି ଯିବେ ମଜ୍ଜି । ୨୦ ।

ମାନସ ମାନସ ଭାବେ ଖେଳୁଛନ୍ତି ରଙ୍ଗେ

ଲହରୀ ବିତାନେ ଖେଳେ ମନସୀର ସଙ୍ଗେ ।୨୧।

ଉଡ଼ଇ, ପଡ଼ଇ ଧୀରେ ଲହରୀ ବିତାନ

ରବି ତେଜେ ଦିଶୁଥାଇ କେଡ଼େ ସୁଶୋଭନ । ୨୨ ।

ଯେଉଁ ରବି ଉଦେ କାଳେ ପୂର୍ବଦିଗୁ ଫେରି

ଆକାଶ ପାତାଳ ସମ ଚୌଦିଗ ଆବେରି । ୨୩ ।

ଘୋଟିଯାଏ ହେଙ୍ଗୁଳରେ କି ଶୋଭା ବିଚିତ୍ର

ଯାକୁ ଦେଖି କବିଗଣ ହୋଇବେ ମୋହିତ । ୨୪ ।

 

ସେ ଦିବ୍ୟ ସୌନ୍ଦର୍ଯ୍ୟ ଦେଖି ହୋଇ ବିହ୍ୱଳିତ

ପ୍ରେୟସୀର ପ୍ରେମ ଭାବ ଜନ୍ମିଲା ବହୁତ । ୨୫ ।

ପ୍ରେୟସୀର ପ୍ରେମ ଭାବ ଜାଳି ଦେଲା ମୋତେ

ମୂଚ୍ଛାଗତେ ପଡ଼ିଲି ମୁଁ ପ୍ରେମ ଅନାୟତ୍ତେ । ୨୬ ।

ଚାହୁଁ ଚାହୁଁ ନିମିଷକେ ହେଲେ ଅଚେତନ

ଏ ସମୟେ ପଡ଼ିଲା ମୋ ହସ୍ତରେ ବନ୍ଧନ । ୨୭ ।

ନିଦ୍ରା ତେଜି ଚେତି ଉଠି ଦେଲି ମୁଁ ଅନାଇ

ଦେଖିଲି ସମ୍ମୁଖେ ଉନ୍ମାଦିନୀ ଠିଆ ହୋଇ । ୨୮ ।

ଧରିଅଛି ସ୍ଵହସ୍ତରେ କୁସୁମ ସମ୍ଭାର

ଦେବ ବୋଲି ଅଣିଅଛି ମୋତେ ଉପହାର ।୨୯ ।

ବୋଇଲା କିପାଁଇ ବନ୍ଦୀ କି ଭାବୁଛ ମନେ

କିପାଁ ଚେତି ଉଠିଲୁ ତୁ କି ଦେଖି ନୟନେ ।୩୦।

ଶୁଣି ସେହି ରମଣୀର କୋମଳ ବଚନ

ଶୀତଳ ହୋଇଲା ପ୍ରାଣ ଯେସନେ ଚନ୍ଦନ । ୩୧ ।

କି କହିବି ବୋଲି ମୁଖୁଁ ନ ସ୍ଫୁରିଲା ବାଣୀ

କଣ୍ଠ ରୁଦ୍ଧ ହୋଇଗଲା ଦେଖି ତାର ଠାଣି। । ୩୨ ।

ବୋଇଲା କିପାଇଁ ବନ୍ଦୀ ତୋ ମୁଖ ମଳିନ

କିଆଁ ବନ୍ଦୀ ଭାବେ ଥାଇ ହେଉ ହୀନିମାନ । ୩୩ ।

ସୁନା ଦେହ ଚୁନା କରୁ କେଉଁ ଲାଳସାରେ

କହି ବନ୍ଦୀ-କହସତ-କହ ମୋତେ ବାରେ ।୩୪ ।

ଦେଖି ତୋର ବନ୍ଦୀଭାବ, ଦେଖିତୋର ମୁଖ

ଆସିଅଛି ତୋର ପାଶେ ଦେବାଲାଗି ସୁଖ । ୩୫ ।

ବସି ମୁହିଁ ତୋର କୋଳେ ଶୁଣାଇଁ ସଙ୍ଗୀତ

ତରିବି ତୋ ଦୁଃଖରାଶି, ଢାଳିଣ ଅମୃତ । ୩୬ ।

ଶୁଣି ସେହି ସୁନ୍ଦରୀର ଆଶ୍ୱାସନା ବାଣୀ ।

ତେଜିଲି ଶୋକ ସନ୍ତାପ ସେହିକ୍ଷଣି । ୩୭ ।

ବିକଚ କୁସୁମ ଶୋଭା ନିରେଖି ଭ୍ରମର

ମଧୁ ଲାଳସାରେ ଯେହ୍ନେ ହୁଅଇ ଅସ୍ଥିର । ୩୮ ।

ସେ ଭାବ ଭାବିଣ ହୃଦେ କହିଲି ପ୍ରିୟକୁ

ପ୍ରେମ ଅଭିଳାଷେ ଆସ ଆସ ମୋ କୋଳକୁ । ୩୯ ।

ଆସ ଆସ ଗୋ ପ୍ରେୟସି, ବସ ମୋର କୋଳେ

କର ଆଲିଙ୍ଗନ ମୋତେ ପ୍ରେମମତ୍ତ ଭୋଳେ । ୪୦ ।

ପ୍ରାଣ ମୋର ଜଳିଉଠେ ଚିତା ଅଗ୍ନି, ପରି

ଶୀତଳ କର ପ୍ରେୟସି ଢାଳି ସୁଧା ବାରି । ୪୧ ।

ତରେ ଶୁଣାଇବି ତୋତେ ମୋ ହୃଦ ବେଦନା

ବସି କୋଳେ ପ୍ରେୟସୀ ଗୋ, ପୂରାଅ କାମନା ।୪୨ ।

କମ୍ପେ ତନୁ ଅସମ୍ଭାଳେ କଣ୍ଠେ ରହି ପ୍ରାଣ

ଜଳିଯାଇ ରବିତେଜେ ହୋଇଛି ପାଷାଣ । ୪୩ ।

ବୋଇଲା ନଭାବ ବନ୍ଦୀ ନ ଭାବ ତୁ ଆଉ

ନ କର ସନ୍ତ।ପ ନିଶ୍ଚେ ଯିବ ଦୁଃଖ ଦାଉ । ୪୪ ।

ତୁଟାଇ ଶୋକ ସନ୍ତାପ ଗାଅ ହେ ସଙ୍ଗୀତ

ବେନି ଜନେ ପ୍ରେମ ରସେ ହେଇବା ମୋହିତ । ୪୫ ।

ଶୁଣିଣ ସଙ୍ଗୀତ ମାନ ନହୋଇ ଅସ୍ଥିର

ତୁମେ ମତ୍ତ କରାଇଣ ଦୁଃଖ କଲ ଦୂର । ୪୬ ।

ବୋଇଲା ସେ ଆସ ବନ୍ଦୀ ଯିବା ଦୁହେଁ ଉଡି

ଆଣିଛି ଶୂନ୍ୟ ବିମାନ ଆସ ଯିବା ଚଢ଼ି । ୪୭ ।

ପ୍ରେମେ ମତ୍ତ ହୋଇ ମୁହିଁ ଆରୋହିଲି ଭୋଲେ

ଫିଟିଗଲା ମୋ ବନ୍ଧନ ପଡ଼ିଲି ମୁଁ ତଳେ । ୪୮ ।

ଫାଟିଗଲା ମୋ ମସ୍ତକ ବହିଲା ରୁଧିର

ଭାଙ୍ଗିଗଲା ମୁଖ ସବୁ–ସ୍ଵପନ ସମ୍ଭାର । ୪୯ ।

 

ଶ୍ରୀ ବିପିନଚନ୍ଦ୍ର ସାହୁ

Image

 

କାରା କୋକିଳ

(୧)

 

ଦୀର୍ଘ ଦି'ପହର ପାରୁ ନାହିଁ କାଟି,

କଲିଜା ଭିତର ହୋଇଯାଏ କାଟି ।

ଏସନ ସମୟେ କିଏ ପକ୍ଷୀବର

ଢାଳିଲୁ ମୋ ପ୍ରାଣେ ଆସି କହୁ ସ୍ଵର ।

ସିଞ୍ଚିଲୁ ଆଣିକି ସୁଧା ସଂଜୀବନୀ !

ପୁଲକି ଉଠଇ ଶିଥିଳ ଧମନୀ ।

ବାଲ୍ୟ ପରିଚିତ ସଖା ମୋର ତୁହି,

ଦେଖା ତୋର ମୁଖ; ଦେଖଁ ଆଜି ମୁହିଁ ।

ପିଲାଦିନ କଥା ପଡ଼େ ମୋର ମନେ

ଭେଟିଥିଲି ତୋତେ ସେ ବଉଳବନେ ।

ଶ୍ରୀ ପଞ୍ଚମୀ ଦିନ ଘେନି ଫୁଲଡ଼ାଲା

ଯାଉଥିଲୁଁ ସବୁ ଗୁନ୍ଥିବାକୁ ମାଳା ।

ଗଛଉହାଡ଼ରେ, କୁଞ୍ଜ ଘରେ ବସି,

ଡାକଦେଲୁ–ହୃଦ ଉଠି ଉଲ୍ଲସି ।

ଇଚ୍ଛା ହେଲା ତୋତେ ଆଣିବାକୁ ଧରି

ଗାଇଲି ତୋ ମଧୁ କଣ୍ଠ ଅନୁକରି ।

ଲାଗିଲା ମୋ ଅଙ୍ଗେ ଗୁପତ ମଳୟ;

ସେ ଦିନୁ ପିନ୍ଧିଲି ତୋ ପ୍ରୀତିବଳୟ ।

ଯାଇଛି ସେ ଦିନ; ଲାଗେ କାଲିପରି

ମହାକାଳ ସ୍ରୋତେ ମିଶିଅଛି ଝରି ।

ଦିନ ତ କାହାରି ନଥାଏ ସମାନ

ଉତ୍ଥାନ ପତନ ପ୍ରକୃତି-ବିଧାନ ।

ଅତୀତ ଝରରୁ ନଦୀ ବର୍ତ୍ତମାନ

ବହି ଯାଇ ଉତେ ଭବିଷ୍ୟତ ପ୍ରାଣ ।

ପକ୍ଷୀରେ । ଯେ ଦିନୁ ପଲ୍ଲୀ ଶ୍ୟାମଳତା

ଭୁଲି ମୁଁ ତେଜିଲି ପୂତ ଚପଳତା ।

ପ୍ରକୃତି-କୋଳରୁ ହୋଇଲି ଅନ୍ତର,

ଭଜିଲି ସହର ବୃଥା ଆଡ଼ମ୍ୱର ।

ସେହି ଦିନୁ ତୋତେ ଦେଲି.ମୁଁ ପାଶୋରି

ଶିଥିଳ ହୋଇଲା ତୋର ମୋର ଡୋରି ।

କେତେ ତୋର ଯଶ ଘୋଷିଲି ଗହୀରେ !

ଫଳ କିଛି ବଂଧୂ ନୋହିଲା ତହିଁରେ ।

ସୃତି-ଚାମୁଚରେ ପିଇ କଲି ବାନ୍ତି,

ପରୀକ୍ଷା ସଂକଟୁ ଲଭିବାକୁ ଶାନ୍ତି ।

ନବଢ଼ି ଛିଡିଲା ତୋର ମୋର ଭାବ,

ବିକୃତ ହୋଇଲା ପ୍ରକୃତ ସ୍ଵଭାବ ।

ତୋର ପ୍ରିୟ ସଖା କବି, ପ୍ରେମିକର

ହୋଇ ନପାରଲି ଚରଣ କିଙ୍କର;

ନ ବୁଝି ପାରିଲି ତାଙ୍କ ମନ ପ୍ରାଣ,

ଅର୍ଜିଲି ଗୁଡ଼ିଏ ଦମ୍ଭ ଅଭିମାନ ।

ଶୋଷଣ କଳରେ ହେବା ପାଇଁ ଅଣ୍ଟା

ସାଜିଲି ଗୋଟିଏ କ୍ଷୁଦ୍ର ପେଚ କଣ୍ଟା !

ଝିଣ୍ଟିକାକୁ ମାରି ପୋଷିବାକୁ ବଣି

ଗରିବଙ୍କୁ ଶେଷି ତୋଷିବାକୁ ଧନୀ ।

ବିଶ୍ୱ ବିଦ୍ୟାଳୟ କୈଲାସ-କନ୍ଦରୁ

ବାଇ ବାହାରିଲି ସ୍ୱାର୍ଥର ଡମ୍ବରୁ ।

ଗଳାରେ ଲମ୍ବାଇ ଦାସତ୍ୱର ହାର

ମର୍ତ୍ତରେ ହେଲି ମୁଁ ବାବୁ ଅବତାର ।

ଆଉ ନଚାହିଁଲି ତୋ ମୁହଁକୁ ଦିନେ

ଶୁଣି ନଶୁଣିଲି ଡ଼ାକ ହୋଇ ଭିନ୍ନେ ।

ଜୀବସେବା ଲାଗି ମାନବ ଜନମ-

ଭୁଲି ଗଲି ନିଜେ ନିଜର ଧରମ ।

ଅବାଟରେ ପଶି ବୁଲିଲି ମୁଁ ଭୁଆଁ ।

ଅନୁତାପ ହେଲା ଜୀବନରେ ଥୁଆ ।

ବିଧିଦତ୍ତ ଶକ୍ତି ନ କରି କର୍ଷଣ,

ଲଭିଲି ବିଧାତା ହସ୍ତର କଷଣ ।

ରୁଚି ଅନୁକୂଳ ନକରେ ଯେ କାମ

ଭାଗ୍ୟଦେବୀ ତା’ର ହୋନ୍ତି ଭାଗ୍ୟେ ବାମ ।

ଅର୍ଥାଭାବ ଦୁଃଖ ସବୁ ଦୁଃଖୁଁ ବଡ଼

ମଉଳାଇ ଦିଏ ପ୍ରତିଭାର କଢ଼ ।

ଅର୍ଥହିଁ ଜଗତେ ଅନର୍ଥ କାରଣ

ଯେତେ ଅତ୍ୟାଚାର ସବୁରି ବାହନ ।

ଅର୍ଥନୀତି ଯେବେ ହୋଇବ ସଂଯତ,

ବିକଶିବ ଭବେ ମାନବ ଦେବତ୍ୱ ।

ଲାଭ ଆଉକିବା ଗତ କଥା ଭାଳି

ଆସ ଦିଏଁ ତୋର ପୟର ପଖାଳି ।

ବନ୍ଦୀଜନ ବୋଲି ନ କର ତୁ ଘୃଣା

ବନ୍ଧୁହୀନ ଠାରେ ଦେଖା ତୋ କରୁଣା ।

ବନ୍ଧୁ ଜାଣେ ସିନା ବନ୍ଧୁର ପୀରତି

ବନ୍ଧୁ ଯୋଗେ ବନ୍ଧୁ ଲଭଇ ମୁକତି ।,

ମିଳିବାରୁ ଦୁଇ ବଂଧୂଙ୍କ ହୃଦୟ ।

ପୃଥିବୀରେ ଆଜି ଗାତାର ଉଦୟ ।

ଅନୁଭବୀ–ତୋତେ କହିବି ମୁଁ କିସ ?

ତୋର ପ୍ରିୟ ସଖା ନିଜେ ଋତୁଈଶ ।

ତାଙ୍କ ବିହୁନରେ ହେଉ ତୁ କିପରି ?

ଲୁଚି ବୁଲୁଥାଉ ମୌକବ୍ରତ ଧରି ।

କରତୀ ହୋଇ ତୁ ବିରହ କରତେ ।

ଜୀବନ୍ତ ମରଣ ଭୋଗୁ ଏ ଜଗତେ ।.

ବିରହୀ ବୁଝଇ ବରହୀର ଦୁଃଖ,

ବିରହ ଚଖାଏ ମିଳନର ସୁଖ ।

କି କହିବି ପିକ ମେ ଦୁଃଖ କାହାଣୀ ?

ଅନୁଭବି ବିନା ପାରିବ କେ ଜାଣି ?

ଏତେ ବନ୍ଦୀ, ଦୁଜେ ରୋଗରେ ପୀଡ଼ିତ

ବନ୍ଧୁ ବାନ୍ଧବଙ୍କ ମିଳନ୍ତୁ ବଞ୍ଚିତ ।

ପୁଣି ସୀପାହୀଙ୍କୁ ଟାଣ ଟାଣ ହିନ୍ଦୀ

ଶୁଣି ଶୁଣି ମୋର ମଥା ଦିଏ ବିନ୍ଧି ।

ହୋଇ ପାରେ ହିନ୍ଦୀ ଭାରତୀୟ ଭାଷା

ମେଣ୍ଟିବ କି ମୋ ପ୍ରାଣ ପିପାସା ?

ଜୀବନ୍ୟାସ ମନ୍ତ୍ର ଯାହା ଯୋଗେ ପାଙ୍କ

ମନବୀଣା ଖଣ୍ଡି ଶିଖିଲି ବଜାଇ ।

ଯା ପ୍ରେମେ ଚିଲିକା ହୋଇ ବିମୋହିତ,

ଅବିରତ ଗାଏ ଅମୀୟ ସଙ୍ଗୀତ ।

ବୋଳି ହେବା ଲାଗି ଯା ଚରଣ ଧୂଲି

ପଡ଼େ ନୀଳ ସିନ୍ଧୁ ଭକ୍ତିରେ ଉଛୁଳି,

କେତେ ଗିରି-ନଦୀ-ଗହନ-କାନନ

ଛବି ଦେଖି ଯାର ଧ୍ୟାନ ନିମଗନ ।

ଦ୍ୱିକୋଟି ମାନବ ଚାରିକୋଟି ହାତେ-

ପୂଜୁଛନ୍ତି ଯାକୁ ନିତି ସନ୍ଧ୍ୟା ପ୍ରାତେ-

ସେ ଉତ୍କଳ ଭାଷା ଶୁଣିନାହିଁ ପଦେ,

କାରା ଜୀବନରୁ କଟିଗଲା ଅଧେ !

ବୁଝିବ କିଏ ସେ ଜାଣିବ ଏ କଥା ?

କା’ଆଗରେ କହିବି ପକ୍ଷିରେ ! ମୋ ବ୍ୟଥା ?

ମାତାଠାରୁ ପରା ମାତୃ-ଭାଷା ବଡ଼ !

ଭୁଲଇ ତାକୁ ଯେ ଜଡ଼ରୁ ସେ ଜଡ଼ ।

ଇଷ୍ଟଦେବୀ ମାତୃଭାଷା, ମାତୃଜାତି–

ତାଙ୍କ ଅନାଦରେ ଦେଶ ଆତ୍ମାଘାତୀ ।

ଶତ୍ରୁ ଆସୁ ପଛେ ଜିଭ ଦିଅ କାଟି

ମାତୃଭାଷା କାର କର ନାହିଁ ମାଟି !

ପଶୁ ପକ୍ଷୀଙ୍କର ଅଛି ନିଜ ଭାଷା

ଭାଷାହିଁ ଫୁଟା ଜୀବନ କର ଆଶା ।

ଶୁଣି ତୋର କଥା ଆରେ ମଧୁମୁଖ

କମି ଗଲା ମୋର ଅଧେ କାରା ଦୁଃଖ l

ପ୍ରିୟ ସଖା ମୋତେ କହ ସତ କରି,

ଏତେ ବାଟ ତୁହି ଆସିଲୁ କରି,

ଅତିଉଣା ଶହେ ଯୋଜନ ଅନ୍ତର

ପ୍ରିୟ ପଲ୍ଲୀ ମୋର ଉତ୍କଳ ପ୍ରାନ୍ତର ।

ବାଘ, ଭାଲୁ ଭରା ମଝିରେ ବନସ୍ତ

କି ସାହସେ ତହୁଁ ଆରମ୍ଭିଲୁ ଗସ୍ତ ।

ତୋର ଶ୍ୟାମ ପଥେ କଲୁ କାରେ ସାଥି;

କାହା ନିକୁଞ୍ଜରେ ପୁହ ଇଲୁ ରାତି ।

ଫୁଲ ମଧୁଖିଆ ରେ ଆମ୍ବବଣୁଆଁ

କେଉଁ ଲତିତାର ହୋଇଲୁ କୁଣିଆ ।

କେଉଁ ନଦୀ ତଟେ କଲୁ ତୁ ସ୍ନାହାନ

କେଉଁଝରଣାର ଜଳ କଲୁ ପାନ ।

କିଏ ତୋତେ ଦେଲା ପକ୍ୱ ବିମ୍ୱ ଫଳ,

ବିଛଣା ପବନେ କଲା କେ ଶୀତଳ ।

କେମନ୍ତେ କାଠାରୁ ପାଇଲୁ ସନ୍ଧାନ

ମଗଧ ପ୍ରନ୍ତରେ ଏକାର 'ଉଦ୍ୟାନ l

ବଡ଼ ଆଚମ୍ୱିତ ମଣେ ଆଜି ମୁହିଁ

ଦାତସୁତକୁ ତବଳିତଲୁ କୁହି !

ମୋ ସ୍ମୃତି ଯୁଗରେ ରଖିଲୁ କୀରତି

ଭୁଲି ପାରିବିକି ଏ ତେର ପାରତି ।

ଏକେ ତ ଭାରତ ଭୁବନ ମୋହନ

ତହିଁରେ ଅମୂଲ୍ୟ ମାନବ-ଜୀବନ ।

ଜୀବନରେ ପୁଣି ଫୁଲୠତୁ ବେଳ

ଫୁଲଋତୁ କାଳେ ପ୍ରାଣବନ୍ଧୁ ମେଳ ।

ସହଜ କି ଭାଇ ଏ ସବୁ ସୁଯୋଗ

ବିନା ଉଦ୍‍ଯୋଗରେ ପଡ଼ିଛି ଏ ଯୋଗ ।

ଗ୍ରହ ତାରା ଖଞ୍ଜା ସୁନ୍ଦର ଗଗନ ।

ଫୁଲବାସବାହୀ ମଳୟ ପବନ ।

ସ୍ନେହ-ପ୍ରୀତି-ଭକ୍ତି-ଭରା ଜନମନ

ବିହଗ୍ ସଙ୍ଗୀତ, ନଦୀ-କଳ-ସ୍ଵନ ।

ଭୋଗିନେବା ଚାଲ ଥାଉଁ ଥାଉଁ ବେଳେ

ବେଳ ବୁଡ଼ି ଗଲେ ସରିଯିବ ଖେଳ ।

ହୃଦୟେ ହୃଦୟ ଗୁପତେ ମିଳାଇ

ଦିନ ଥାଉଁ ଥାଉଁ ଯିବାରେ ଗଳାଇ I

ନୀଳ ଆକାଶର ନୀଳିମାରେ ବୁଡ଼ି

ନୀରବରେ ଯିବା ଦୁହେଁଯାକ ଉଡ଼ି ।

ଦି’ମାସରେ ବାଟି ଲାଗିବ ଦି’ଦିନ ।

ଦୁଇମନ ଯେବେ ରଖିବା ଅଭିନ୍ନ ।

ମନ ବଳେ କିଛି ନାହିଁ ଅସମ୍ଭବ

ସାରା ସୃଷ୍ଟି ପରା ମନରୁ ସମ୍ଭବ ।

ମନରୁ ଗଢ଼ା ଦ୍ୱିଜ, କ୍ଷେତ୍ରୀ, ବୈଶ୍ୟ, ଶୂଦ୍ର

ମନରୁ ମରୁତ ବହ୍ମା, ବିଷ୍ଣୁ ଋଦ୍ର ।

ବିଜ୍ଞାନ, ଦର୍ଶନ, କାବ୍ୟ କାରିଗରି

ମନ-ଝରଣାରୁ ସବୁ ଆସେ ବୀରି ।

ପବବକୁ ମନ କରଲେ ବାହନ

ଯୋଗେ ଭ୍ରମିପାରେ ଚଉଦ ଭୁବନୁ,

ଯୌବନ ଶାଣିତ ହୁଏ ଯେବେ ମନ

ବିଶ୍ୱରେ ଅଛିକି ତା’ ଲାଗି ବନ୍ଧନ !

ମନୁଷ୍ୟ କେ କାଲ କରିପାରେ ବଧ୍ୟ

ଅସାଧ୍ୟ ସାଧନ କରେ ସେ ସୁସାଧ୍ୟ ।

ଆମଠାରେ କରେ- ନାହିଁ ମନ-ବଳ -

ଯୁବକ ଆମେ କି ମହାକାଳ ଫଳ !

ବିମ୍ଳବ ଯୁବକ ଯୁବତୀର ଧର୍ମ

ଶୁଙ୍ଖଳ ଚୂରିତା ଯୌବନର କର୍ମ ।

ଯିଶୁ, ମହମ୍ମଦ, ବୁଦ୍ଧ, ଚଇତନ

ଶଙ୍କର, ନାନକ, ଶ୍ରୀରାମମୋହନ ।

ଶ୍ରୀ ବିବେକାନନ୍ଦ, ଶ୍ରୀମତୀ ବେଶାନ୍ତ

ବିଶ୍ୱ ଇତହାସେ ସହସ୍ର ଦୃଷ୍ଟାନ୍ତ ।

ସରବେ ଯୌବନ ପରଶେ ବିପ୍ଳବୀ

ବିପ୍ଳବୀ ଆଙ୍କଇ ବିଶ୍ୱେ ନବ ଛବି ।

ସ୍ଵାଧୀନ ଇଟାଲୀ, ସ୍ଵାଧୀନ ଜାପାନ

ଜଗଦ୍‍ବ୍ୟାପୀ ଯେଉଁ ତୁରସ୍କ ସମାନ ।

ଜାଗ୍ରତ ଆଜି ଯେ ଚାଇନା ଅନ୍ତର

ଯୁଗୋସ୍କେ ଭିଆରେ ହେଲା ଯୁନାନ୍ତର ।

ରସାରେ ରଷିଆ ଅଳକା ଛୁଟାଇ

ସରଗ ଶୀର ଯେ ଆଣିଲା ଛଡ଼ାଇ ।

ସର୍ବନ୍ର–ବିଦ୍ରୋହୀ ଉଦ୍ଦାମ ଯୌବନ

ଜାଳିଛି ତ୍ୟାଗର ଜ୍ୱଳନ୍ତ ଜୀବନ ।

ଫୁତ୍‍କାରେ ଲିଭାଇ ପ୍ରଳୟ ଅନଳ

ସାହାରା ମରୁକୁ କରିଛି ଶ୍ୟାମଳ ।

ତେବେରେ ଆମର ଭାବନା କାହିଁକି

ଦେଖ ଲାଠିଆଳ ସିପାହୀ ଭାଇଙ୍କି ।

କେତେଜଶ ଅବା ଏଠା ଅସ୍ତ୍ର ଧାରୀ ?

ବ୍ରୀଟିଶ ସାମ୍ରାଜ୍ୟ ଯେତେକ ଶିକାରୀ

ନିତ୍ୟ ପିଇ ଚାଷୀ ମୂଲିଆ ରକତ,

ଜଗତେ ବୋଲାନ୍ତି ବିଶ୍ୱାସୀ ଭକତ !

ଘେନି ତରବାରୀ, ପିସ୍ତଲ୍, ବନ୍ଧୁକ–

ପିଙ୍ଗି ଜମାଣରୁ ବିଷାକ୍ତ କନ୍ଧୁକ ।

ଚଳାଇ ସମସ୍ତ ଉଡା, ବୁଡ଼ା ତରୀ

ନ ପାରିବେ ଆମ ପଥ ରୁଦ୍ଧ କରି ।

ବେଶୀ ବଡ଼ ହେଲେ ଦେହକୁ ଆମର

ଜୀବାତ୍ମା ପାଖରୁ କରିବେ ଅନ୍ତର ।

ଫେରି ଯାଇ ଆମେ ଜନମିବା ପୁଣି

ମାତୃଭୂମି ପଶେ ହେବ। ନାହିଁ ଋଣୀ ।

ଯାବତ ନୋହିଛି ତାହାର ମୁକତି

ଲଢୁଥିବ ଆମେ ଯାବତ ଶକତି ।

ବହୁଥିବ ଯାଏ ଶରୀରେ ନିଃଶ୍ୱାସ

ନିଜ ପରେ ନିଜେ ରଖିବା ବିଶ୍ୱାସ ।

ନମସ୍ତେ, ନମସ୍ତେ ମଧୁଦୂତ କର

କହ କାଇ ପାଇଁ ନ ଦେଉ ଉତ୍ତର ।

ମୋ ମନ ଚନ୍ଦନ ନାଇ ଦେବି ତୋତେ,

ଅଭିମାନ ବନ୍ଧୁ କରୁ କିଆଁ ମୋତେ ?

କରି ନାହିଁ ତଳେ ତେର ପାଖେ ଛନ୍ଦ

କେଉଁ କଥା ମୋର ନ ହେଲା ପସନ୍ଦ ।

ଖୋଲି କହିଲି ଯା ହୃଦୟର ଭାବ,

ଦୋଷ ଥିଲେ ଦିଅ ସୁଧାରି ସ୍ୱଭାବ ।

ଦେଶ କାଳ ପାତ୍ର ରୁଚି କରି ମଳ

ବାଟ ବତା ମୋତେ ମୁକ୍ତି ଅନୁକୂଳ

ତୋହ ପାଶେ କଲି ଆତ୍ମ-ସମର୍ପଣ

ମୋ ଜୀବନ ଆଶା କର ତୁ ପୂରଣ ।

ଗାଆନା, ଗାଆନା ପିକବର ଅଉ -

ବୁଝିଲିଣି ତୋର ହୃଦ-ଦୁଃଖ-ଦାଉ ।

ଆଗ ଭାବ ତୋର ନାହିଁ ଆଜି କାଲି

ରାଜନୀତି ସ୍ରୋତେ ପ୍ରାଣ ଦେଇ ଢାଳି ।

ସ୍ଵାଧୀନତା ବ୍ରତ କରିଛୁ ଗ୍ରହଣ,

ସାମ୍ୟବାଦ ତୋର ଜୀବନର ପଣ ।

ପୋଷିଅଛୁ ଆଶ ମର୍ତ୍ତ୍ୟ ଦେଖିବାର

ସସାଗର ଧରା ବିଶ୍ୱ ପରିବାର ।

ସଙ୍ଗୀତ ସୌନ୍ଦର୍ଯ୍ୟେ ନ ବଳାଇ ମନ

ଦିନ ରାତି ଚିନ୍ତା ଅଶନ ବସନ ।

ଦରିଦ୍ର ଉପରେ ଧନୀ ଅତ୍ୟାଚାର

ପ୍ରଜାଙ୍କ ରକ୍ତରେ ରାଜାଙ୍କ ଶୀକାର ।

ବଦଳାଇ ଅଛି ତୋର ମତି ଗତି-

ଭ୍ରୂକ୍ଷେପ ନାହିଁ ତୋ’ ଅନ୍ୟ କାର୍ଯ୍ୟ ପ୍ରତି ।

ଶଶୀ ସାଥେ ଯେହ୍ନେ ଜଡ଼ିତ ସବିତ। -

କବି ସାଥେ ଯଥା କବିର କବିତା-

ଫୁଲ ସାଥେ ଯଥା ଫୁଲର ସୁଗନ୍ଧ-

ଜୀବ ସାଥେ ଯଥା ଶରୀର ସମ୍ବନ୍ଧ-

ପ୍ରଜାଙ୍କର ତଥା ଦେଶ ରାଜନୀତି,

ଦୁଃଖ ସୁଖ ଧର୍ମ କର୍ମ ମୂଳଭିର୍ତ୍ତି ।

ସେହି ରଜନୀତି ତୋତେ ଅଛି ଘାରି

ଛାଡ଼ି ଘର ଦ୍ୱାର ଆସିଛୁ ବାହାରି ।

ଭବୁ ତଡ଼ିବାକୁ ରାଜପଦ ଭିତି

କୂଟ କପଟତା ନରହତ୍ୟା-ପ୍ରୀତି ।

ପିକବର ତୁହି ବଦ୍ଧପରିକର

କପୁ ସଦା ସତ୍ୟ ଅହିଂସ। ମନ୍ତର ।

ସେଥି ଲାଗି ତୋତେ ମୋର ଏ ବିଚାର

ଲାଗିଲା ଯେସନେ କ୍ଷୀର ସଙ୍ଗେ ଖାର ।

ସତ୍ୟାଗ୍ରହ ପକ୍ଷେ ଏଭଳି ଭାବନା

କୋମଲ ପରାଣେ ଦେଲା କି ଯାତନା ?

ସତ୍ୟାଗ୍ରହ ଯୁଦ୍ଧେ ନାହିଁ ଲୁଚା ଛପା

ସତ୍ୟାଗ୍ରହ ନୀତି ଦିନ ପରି ସଫା ।

ଅଧୈର୍ଯ୍ୟ ଏ ପଥ ବିଷାକ୍ତ କଣ୍ଟକ

ଜାଣୁ ଜାଣୁ ଆଜି ଭୁଲିଲ ସେତକ ।

ସୈନିକ ଚିତ୍ତ ମୁଁ କଲି ବିଚଳିତ

ନୀତ ପଥୁ ସଖା ହୋଇଲି ସ୍ଫଳିତ ।

ରୁପ ଭେକ ଦେଖି ଭାବୁଛୁ ତୁ ଯାହା

ବାସ୍ତବରେ ପକ୍ଷୀ ଅଟେ କି ମୁଁ ତାହା ?

ସତ୍ୟାଗ୍ରହ ପତ୍ରେ କରିଅଛି ସହି

ହେଇ ପାରିଛି କି କେବେ ସତ୍ୟାଗ୍ରହୀ ?

 

ଶ୍ରୀ ବିରକିଶେର ଦାସ

Image

 

ସତ୍ୟ

 

ରେ ମନ ! କେଉଁ ପଥ ଅଲକ୍ଷିତେ ଯାଉ ରୁ ପଳାଇ

ଏକାକୀ ତୁ, ବାତୁଳ ପରାଏ ଭ୍ରମି ଏ ସଂସାର

ଲକ୍ଷଭଷ୍ଟ ? କିଅବା ତୁ ହତଜ୍ଞାନ ହୋଇ

ନାହିଁ ଅବସର-ଅହରହ ବ୍ୟସ୍ତ

ନାହିଁ ସ୍ଥାନ ବିଶ୍ରାମର । ୧ ।

 

ନୁହେଁ କି ସେ ଦିନତୋର ଶୁଭ ଆଉ ପୁଣ୍ୟ

ଭୂମିଷ୍ଠ ହେଲୁ ରେ ଯେବେ, ଦିନେ ସୁନ୍ଦର ସଂସାର

ବକ୍ଷେ ମନୁଷ୍ୟ ଜନମ ହେବ ବୋଲି ଧନ୍ୟ

(ତେଣୁ) ନାହିଁ ଅବସର, କର୍ଭବ୍ୟର ଡାକ ଆସେ–

ଶୁଣ ନିରନ୍ତର । ୨ ।

 

ଭୁଲନାହିଁ କର୍ମମୟ ମନୁଷ୍ୟ ଜୀବନ

ଉଦ୍ଦେଶ୍ୟ ମହାନ୍, ବାଧାବିଘ୍ନ ଅସଂଖ୍ୟ ଅପାର-

ଲଙ୍ଘି ଚାଲ; ଲଭିବୁ ସେ ଅମୁଲ୍ୟ ରତନ

(ତୋର) ନାହିଁ ଅବସର-ସାଧନାରେ ସବୁ-

ଆଶା ମେଣ୍ଟିବ ତୋହର । ୩ ।

 

ଯାଏ ଚାଲି ଦିବ, ନିଶି ପ୍ରତିଜ୍ଞା-ପୂରଣେ

ସାର୍ଥକତା ମନୁଷ୍ୟ-ଜୀବନ, ଘୁଞ୍ଚାଅ ଅନ୍ଧକାର ।

ଜାଳିଦିଅ ଶିଖା, କରି ସଂଗ୍ରାମ ଭୀଷଣ,

(ତେଣୁ)କାହଁ ଅବସର, ମୋହନିଦ୍ରା ଭାଙ୍ଗି ଶୀଘ୍ର

ଆଶାତରୀ ଧର । ୪ ।

 

କିଏ ସେ ତୋ ପଥଦ୍ରଷ୍ଟା? କାହାର ବଚନ

ମାନି, କ୍ଷିପ୍ତ ପଦେ ହେଉ ଅଗ୍ରସର ? ଶୀଘ୍ର ଧର

ସାନ୍ତ୍ୱନା, ନଘେନ ନଘେନ କେବେ କାତର-ପରାଣ,

(ଆଉ)ନାହିଁ ଅବସର–ଜ୍ଞାନାଲୋକ ଜାଳି, ହୃଦ

ଆଲେକିତ କର । ୫ ।

 

ନତ୍ୟ ସେହି–ସେହି ଏକା ଆଶ୍ରୟର ସ୍ଥଳ,

ସତ୍ୟ ସେହି--ଖୋକ ତାକୁ ଅନ୍ତର ବାହାର

ପରମ ପୁରୁଷ ସେହି, ଜୀବନ ସମ୍ବଳ

(ତେବେ)ଲିଭିବୁରେ ସାର ଶୂନ୍ୟ, ସୃପ୍ନେ ବିତରିତ

ଫଳଟି ମାତର ।

 

ଶ୍ରୀ ଗୌରାଙ୍ଗ ଚରଣ ମହାନ୍ତି

Image

 

ପ୍ରାର୍ଥାନ

 

ନ ଦେଖି ଏ ଜୀବନେ ତବ ରୂପ ମାଧୁରୀ

ଯିବ କି ମୋ ଆଶା ଲତା ଭାବି ଭାବି ଝାଉଁଳି (ଘୋଷା)

 

ମନ ହୁଏ ଛନ୍ନ ଛନ୍ନ

ବ୍ୟକୁଳ ବେନି ନୟନ

ଜିହ୍ୱା ଗାଏ ତବ ନାମ କି ଦିବା ଶର୍ବରୀ । ୧ ।

 

ପୋଷିଛି ମୁଁ ବହୁ ଦିନୁ,

ହେ ଚିର ସୁନ୍ଦର ତନୁ

ତବ ଦରଶନ ମାତ୍ର ନୁହେଁ କିଛି ଚାତୁରୀ । ୨ ।

 

ଖୋଜିଛି ମୁଁ ଅନୁକ୍ଷଣେ,

ତୁମ୍ଭଙ୍କୁ ନ ପାଏ କେଣେ;

କାହିଁଅଛ ଦିଅ ଦେଖା (ମୋର) ହୃଦ ହୁଏ ବିଦାର । ୩ ।

 

ଜାଣେ ତୁମ୍ଭେ ଦିନ ସଖା,

ବିପଦରେ ଦିଅ ଦେଖା

ଏ ଅଧମେ ସାହା ହୁଏ ତବ କୃପା ବିତରି । ୪ ।

 

ଜାଗୁ ସଦା ସୃତି ତବ

ଏ ଆଶୀଷ କର ଦେବ

ସ୍ୱପ୍ନସମ ଆଶା ମୋର ଚିର ସତ୍ୟ ଦିଅ କରି । ୫ ।

 

ଶ୍ରୀ ଆକୁଳାନନ୍ଦ ବେହେରା

Image

 

ନିଶୀଥେ

 

ଭୋଦେଇ ଜହ୍ନକୁ ପୂବେଇ ପବନ

ସୁଲୁ ସୁଲୁ ଆସେ ବହି

ଘର କଥା ଦେଖେ ସ୍ୱପନ ବିଦେଶୀ

କହିଁ ଦୁର ଦେଶେ ରହି ।

ଦୁର ରାଇଜରେ ସାଗର କୂଳରେ

ଦେଶ ଖଣ୍ତି ତାର ପରା

ଘର ଖଣ୍ଡି କେଡ଼େ ଯତନ ଅଟେ ଗୋ

କେତେ ସୁଖ-ଦୁଃଖ-ଭରା ।

ଆନନ୍ଦ ଚହଳ କେତେ କୋଳାହଳ

ଲାଗିଥାଏ ସଦାବେଳେ,

ଦିନ ରାତି ଯାଏ ପାଣି ପରି ବହି

ଜଣାତ ନ ପଡ଼େ ହେଳେ ।

ବାଡ଼ି ଅଗଣାରେ ଭାଡ଼ି ଉପରକୁ

ଗୋଟି ଗୋଟି ପତ୍ର କାଢ଼ି,

କି ସୁନ୍ଦର ଆହା ପୋଇ ଲତାଟିଏ

ସୁଖେ ଯାଉଥାଏ ମାଡ଼ି ।

ଅଧେ ଖରା ଅଧେ ଛାଇରୁ ବାଙ୍କେଇ

ଟଗର ଗଛଟି ସୁଖେ,

ଧଳା ଧଳା ଫୁଲ ମଣ୍ଡି ହୋଇ ଦେହେ,

ଚାହିଁଥିବ କାହା ମୁଖେ ।

ବାଳକ ବାଳିକା ବୁଲି ବୁଲି ଫୁଲ

ତୋଳି ଆଣି ନାନା ଜାତି,

ଦଅଁ ଦେଉଳକୁ ପଠାଇବା ପାଇଁ

ଗୁନ୍ଥୁଥିବେ ହୋଇ ସାଥୀ ।

ପଣ କରୁଥିବେ ଗୁନ୍ଥୁଥିବା ବେଳେ

ଯେ ଗୁନ୍ଥିବ ମାଳା ଆଗେ

ଭଲ ବରଟିଏ ଭଲ କନ୍ୟା ଟିଏ

ମିଳିବ ତାହାରି ଭାଗ୍ୟେ ।

ଭୋଦୁଅ ମାସର ରବିବାର ଆଜି

ଖୁଲୁକୁଣୀ ଉପବାସେ,

ଓଷା ପାଳି, ଫୁଲ- ଗୁନ୍ଥୁଥିବେ ବସି

କୁମାରୀ ଗଣ ଉଲ୍ଲାସେ ।

କେତେ କେତେ କଥା କେତେ କେତେ ସ୍ମତି

ହେଉଥିବେ କୁହାକୁହି

ଏହି ଦୂର ଦେଶେ ସେ କଥା ଭାଳିଳେ

ଅଖି-ଲୁହ ଯାଏ ବହି ।

କିଏ ତୁ ବିଦେଶୀ କାହିଁକିରେ ବସି

ଝୁରୁଅଛୁ ଦିବା ରାତି

ଏକା ବସି ତୁହି ଅନ୍ଧାରି ଘରରେ

କେହି ନାହିଁ ତୋର ସାଥି ?

ଲୁହ ପୋଛି ଦେଇ, ବିଦେଶୀ କହଇ-

ଶୁଣିବାକୁ ଦୁଃଖ ମୋର

କାହିଁକି ବଳାଇ- ଅଛ ତୁମେ ମନ

ଶୁଣିବ କି ଦୁଃଘୋର ?

କି କହିବି ତୋତେ ମୋହର ଦୁର୍ଦ୍ଦଶା-

କି କହିବି ମୋର ଦୁଃଖ-

ଯାହା ଭୋଗୁଅଛି କହିବି କିଅବା

କହବି କି ତାହା ସୁଖ ?

ବଳାଇଲ ଯଦି ମନ ହେ ବିଦେଶୀ

ଯାହା ପଡ଼ିଛି ପ୍ରସାଦ,

ଗୋଟି ଗୋଟି ସବୁ ବୁଝାଇ କହୁଛି

ଶୁଣ ମୋ ସୁଖ ସମ୍ପଦ ।

ଲାଗିଲା ମୋ ଦେଶେରଣ ଗୋଳ ଅତି

ରାଜା ପ୍ରଜା ଟଣାଟଣି

ଦୁଇ ଦଳୁ କେତେ ସମରେ ପଡ଼ିଲେ

ଆପେ ହୋଇ ହଣାହଣି ।

ମୁହିଁ ତହୁଁ ଏକ ନଗଣ୍ୟ ପାଇକ

ଯୁଝୁଥିଲି ପ୍ରଜା ପଟେ,

ଯୁଦ୍ଧେ ଯୁଝି, ଶ୍ରାନ୍ତି ଭଜିବାରୁ ଅଙ୍ଗ–

ବନ୍ଦୀ ମୁଁ ରାଜ ନକଟେ ।

ବନ୍ଦୀ କରି ମୋତେ କେଉଁ ରାଜ ପଥେ

ଆଣିଲେ ଜାଣଇ ନାହିଁ,

କେବଳ ଦେଶର ସ୍ମୃତି, ଭାଳି ଭାଳି

ବଞ୍ଚିଅଛି ପଥ ଚାହିଁ ।

ଅନାଇ ରହିଛି କେବେ ସେ ରଣର

ହୋଇ ଯିବ ପୂରା ଶେଷ !

ଦେଖିବି ନୟନ- ଭରି ପୁଣି ଥରେ

ମୋ ଶ୍ୟାମଳ ବନ ଦେଶ ।

ଦେଖିବି ମୋ ନଦୀ– ଅମୃତ ସଲିଳା,

ଦେଖିବି ସାଗର ବେଳା–

ବସନ୍ତ ପବନ ମହକାଇ ଦେଇ,

କରିବ ମୋ ପାଶେ ଖେଳ। ।

ଶୁଣିବ ମୋ ଦେଶ କୋକିଳର କଣ୍ଠେ

ଲଲିତ ପଞ୍ଚମ ତାନ,

ପ୍ରିୟ ଜନଙ୍କର ପ୍ରେମ ସେ ହାଗରେ

ଭରି ଉଠୁଥିବ ପ୍ରାଣ ।

ଯାତ୍ରା ଉତ୍ସବରେ ସହସ୍ର ସହସ୍ର

ମୋ ଦେଶ ଭଉଣୀ ଭାଇ

ମାତିଥିବେ ସୁଖେ ତାଙ୍କ ସଙ୍ଗତରେ

ଆନନ୍ଦେ ମିଶିବି ଯାଇଁ ।

ମୋହ ପରି କେତେ ଏ ଘୋର ସମରେ

ଦୁଃଖ ସହି ଥିବେ ଫେରି;

ଦେଶ ଭାଇମାନେ ଆମ କଥା ସବୁ

ଶୁଣିବେ ପାଖରେ ଘେରି ।

ସତେ ଜଗନ୍ନାଥ- ନୀଳାଚଳ ନାଥ -

ଜଗତ ମଉଡ଼ ମଣି,

କୃପା ପାରବାର, କରିବେ କରୁଣା

ଉଶ୍ୱାସି ଦେବେ ଧରଣୀ !

ପେଶିଦେବେ ଥରେ ଆରତ-ରକ୍ଷଣେ

ପେଶନ୍ତି ଯେମନ୍ତ ଚକ୍ର–

ଗକ ଡାକ ଶୁଣି ପଲକ ମାତରେ

ଛେଦିଲେ ଦୁରନ୍ତ ନକ୍ର ।

ପତିତ ପାବନ ନେତ ଉଡ଼ୁ ଅଛି

ବଡ଼ ଦେଉଳର ଚୂଳେ;

ସେହି ଏକା ଆଶା ଅକୂଳ ସାଗରେ--

ନିଶ୍ଚେ ଲଗାଇବେ କୂଳେ ।

ନୋହିଲେ ତାହାଙ୍କୁ ନିନ୍ଦା ହେବ ସିନା

ଆର୍ତ୍ତତ୍ରଣ ନାମ ବହି,

ବଡ଼ ଦେଉଳରେ ବାନା ଉଡାଇଣ

ଆରତେ ଦେଲେ ଭସାଇ ।

ଏ କାଳେ ସହସା ରଡ଼ିଦେଇ ବଜ୍ର

ପଡ଼ିଲା ଅତି ପ୍ରଚଣ୍ଡ,

କାରଗାର ଭୀମ ପାଷାଣ ପାଚେରୀ

କରି ଦେଲା ଖଣ୍ଡ ଖଣ୍ଡ ।

ଶତଧା ବିଦୀର୍ଣ୍ଣ କାରା ଗାର ମଧ୍ୟୁଁ

ବୀର ବନ୍ଦୀ ଶତ ଶତ ।

ବାହାରେ ବାହାରି ପ୍ରଭୁ ଜୟ ଗାଇ

ଚଳିଗଲେ ଇତ ସ୍ତତ ।

 

ଶ୍ରୀ ବିପିନ ଚନ୍ଦ୍ର ସାହୁ

Image

 

ରଣରଥୀ

 

କେତେ ଦେବ ଦେବୀ ପୂଜି, କେତେ କଷ୍ଟ ସହି,

ହୃଦୟରେ ସଂଚରିଲା ଯେଉଁ ଆତ୍ମ ବଳ

ତାହାବଳେ କାଟି ପିତୃ ମାତୃ ବନ୍ଧନ

ବାହାରିଲି କରିବାକୁ ଦେଶର ଉଦ୍ଧାର-

ନ ଆସିଲେ କେହି ଜଣେ ଥିଲେ ଯେତେ ସଙ୍ଗୀ,

ଭାବି ତାଙ୍କ କଥା ହୃଦ ହେ।ଇଲା ବିଦୀର୍ଣ୍ଣ ।

କଅଣ କରିବି ବୋଲି ଚିନ୍ତ। କଲି କ୍ଷଣେ ।

ବଢ଼ିଲାମୋ ଆଶା ସ୍ରୋତ ଅଧିକୁ ଅଧିକ

ନପାରି ସମ୍ଭାଳି ମୁଁ ସେହି ସ୍ରୋତ ଦାଉ

ଆସିଲ ମୁଁ ଭାସି ସେହି ସ୍ରୋତର ଆବେଗେ ।

ମିଳିଗଲେ ସେହି ପଥେ କେତେ ଜଣ ସାଙ୍ଗ,

ବାହାରି ଅଛନ୍ତି ଯେହୁ କରି ଦୃଢ଼ ପଣ,

ଦେଶୋଦ୍ଧାର ଯାହାଙ୍କର ଏକମାତ୍ର ଲକ୍ଷ୍ୟ

ଶୁଣି ତାଙ୍କ ଏକମାତ୍ର ଲକ୍ଷ୍ୟଦେଶେ ଦ୍ଧାର,

କର୍ତ୍ତବ୍ୟ ପାଇକି ଚିନ୍ତା ହୋଇଲା ମୋହର,

ଯେସନେ ନଦୀର ସ୍ରୋତ ମିଶେ ସମୁଦ୍ରରେ,

ମିଶିଗଲି ତାଙ୍କ ସଙ୍ଗେ ଯାଇ ମୁ ତେସନ ।

ମିଳି ତାଙ୍କ ସଙ୍ଗେ ମୁହିଁ ଗଲି ରଣ ସ୍ଥଲେ,

ଯୁଝିଲେ ସେ ମହାରଥୀ କରିଘୋର ରଣ,

ଦେଖି ତାଙ୍କ ଘୋର ଋଣ ଦୃଦୟେ ମୋହର

ଜନମିଲ ଦୃଢ଼ ଆଶା; ହେବ ବୋଲି ଜୟ

କିନ୍ତୁ କାଳବଳେ ସେହୁ ଗଲେ ଯମ ପୁର ।

ଭବିଷ୍ୟତ ଭାବନାରେ ହୋଇଲି ଅଧୀର ।

ଜଣାଇଲି ଏ ବାରତା ସେନାପତି ପଦେ

ଆଦେଶିଲେ ସେନାପତି-“ଯାଅ ରଣସ୍ଥଲେ

ପ୍ରାଣଥିବା ଯାଏ କର ଶାନ୍ତିର ସମର ।

କରିନାହିଁ ଅବଶ୍ୟକ ଅନ୍ୟର ସାହାଯ୍ୟ–

ଧର୍ମ ରଣ ଏହୁ; ଚାଲିଦ ତା ଧର୍ମବଳେ

ଏକ ମାତ୍ର ସାହା ଆମ୍ଭ ସେହି ନାରୟଣ’ ।

କମ୍ପିଲା ମୋ ହୃଦ ସେନାପତିର ଆଦେଶେ

ପଶିଲି ମୁଁ ଋଣ ଭୁମେ; ନିର୍ଭୟ ଅନ୍ତରେ

ଜୀବନର ଅଶା ଛାଡ଼ି, କଲି ମୁହିଁ ରଣ ।

ଦେଖି ରଣ କଉଶଳ, ଅରିଏ ସତ୍ରାସେ

ପ୍ରମାଦ ଗଣନ୍ତିବୋଲି ହେଉଥାଏ ମନେ ।

ଅବଶେଷ ତାଙ୍କ ହସ୍ତେ ହେଲି ମୁଁ ପତିତ;

କର୍ତ୍ତବ୍ୟର ସବୁ ଆଶା ହେଲା ମୋର ଲୁପ୍ତ ।

ଛଡ଼ି ମୁହିଁ ରଣସ୍ଥଳ, ଗଲି ସେଇ ଧାମେ-

ଯେଉଁ ଧାମେ ରହିଥିଲେ ମୋ ପୂର୍ବ ସାଥୀଏ,

ମିଳି ତାଙ୍କ ସଙ୍ଗେ ମୁହଁ ରହିଲି ଶେଷରେ ।

ସ୍ଥାନାନ୍ତର ପୂର୍ବ ରଥୀ ଗଲେ ରଣ ସ୍ଥଳେ

ଅରୀଏ ଦେଖିଣ ତାଙ୍କ ରଣ କଉଶଳ,

ହେଉଥିବ ଅସ୍ତ ବ୍ୟସ୍ତ, ଭାବ ଏହା ମନେ-

ମହାନନ୍ଦେ ହୃଦ ମୋର ହୋଇଲା ପ୍ରଫୁଲ୍ଲ;

କିନ୍ତୁ ଏକ ଶୁଣିଲି ମୁଁ ଅପୂର୍ବ ବାରତା

ରଣସ୍ଥଳୁ ପୂର୍ବ ରଥୀ ଦେଇ ଛତ୍ର ଭଙ୍ଗ

କରିଛନ୍ତି ପଳାୟନ; କରନ୍ତି ପ୍ରଚାର

ନ ହେବ ସଫଲ କିଛି; ମାତି ଏହି ରଣେ ।

ନୋହୁ ଆମ୍ଭେ ଉପଯୁକ୍ତ ଏହି ରଣ ପାଇଁ,

ଥିଲେ ମୋହି ନିକଟରେ ସେ ରଥୀରୁ ଜଣେ

ପୁଚ୍ଛିଲ ମୁଁ ସେନାପତେ ! କି ଆଦେଶ ତବ ?

 

ଶ୍ରୀ ଶରତଚନ୍ଦ୍ର ରାୟ ମହାପାତ୍ର

Image

 

ମୁକ୍ତିଚିନ୍ତା

 

ଅନନ୍ତ ଗଗନ ତଳେ ସମସ୍ତ ଜଗତ

ମତ୍ତ ଆଜି ରଖିବାକୁ ଜାତୀୟ ପ୍ରତିଷ୍ଠା

ଲଭିବାକୁ ଉଚ୍ଚସ୍ଥାନ ବାନ୍ଧିବାକୁ ଶିଡ଼

ଆକାଶକୁ, ଅବିରାମ କୌଶଳରେ

ନୂଆ ଆବିଷ୍କାର, ନୂଆ କୂଟ ନୀତି

କେତେ କରନ୍ତି ପ୍ରଚାର ଜାପାନ, ଜର୍ମାନୀ

ଆମେରିକା ଓ ଋଷିଆ, ଆଫ୍ରିକା

ଇଂଲଣ୍ଡ, ଅଷ୍ଟ୍ରେଲିଆ ଆଦିଯେତେ,

କରନ୍ତି ଯୁଦ୍ଧ ଘୋଷଣା; ଏକ ଅନ୍ୟ ସଙ୍ଗେ;

କେହି ହେଲେ ଜୟୀ ସେହି ଅନ୍ୟାୟ ସଂଗ୍ରାମେ

ବାନ୍ଧେ ପଗଡ଼ି ମସ୍ତକେ, ଲଭେ ରାଜ୍ୟ ଖଣ୍ଡେ;

କରେ ଅତ୍ୟଚାର ପୁଣି ଦୁର୍ବଳ ଉପରେ;

ଦେଇ ନାନା ଦଣ୍ତ, ମାରିଚକୁ କ୍ଷୁଧାରେ ତୃକ୍ଷାରେ

କିନ୍ତୁ ଆଜି ଭାରତରେ ଶୁଭେ କି ଚହଳ ?

ଭୋଗି ନାନା ଦୁଃଖ କଷ୍ଟ ବର୍ଷ ବର୍ଷ ଧରି,

ବ୍ୟଭିଚାର, ଅତ୍ୟାଚାର କି ଭୀଷଣ ହତ୍ୟା

ଅନ୍ୟାୟ ରେ ସହିଅଛି ପାତି ନିଜ ଛାତି !

କହିବି କଣ ? ବାକ୍ୟ ନ ସ୍ଫୁରଇ ମୋର-

ହୃଦ ହୁଅଇ ସ୍ତବଧ ପୁଣି ଶୁଖିଯାଏ ଜିଭ

ବର୍ଣ୍ଣିବାକୁ ସେ ସବୁ ଘଟଣା, ଅନ୍ନାଭାବେ

ବସ୍ତ୍ରାଭାବେ କି ଦୁର୍ଦଶା ତାର ପୁତ୍ର ଗଣ

ସହନ୍ତି ଅବାଧେ, ସଦା ନିନ୍ଦି ଭାଗ୍ୟ ଦେବୀ,

ଆଉ ନାହଁ ପୂର୍ବକଥା, ଚକ୍ଷୁ ମୁକୁଳିତ ତାର

ଅହିଂସାର ଅସ୍ତ୍ର ଧରି ଗାଉଛି ଚୌଦିଗେ, ସର୍ବେ ସମ ।

ତପନ ତଳରେ, ମନୁଷ୍ୟ କୀଟ ପତଙ୍ଗ-

ଆଦି ଯେତେ ପ୍ରାଣୀ, ଯାହା କିଛି ସୃଷ୍ଟିକଲେ

ଜଗତ କରତା, ଅଛି ଦାବି-ହେବ ନିଶ୍ଚୟ ସ୍ଵାଧୀନ ।

ପର ପଦାନତ ହୋଇ ନରହିବ କେଭେ

(ଦିନେ) ଶାନ୍ତି ହୋଇବ ସ୍ଥାପନ ।

ଅଧର୍ମର ବାନା ଆଉ ନ ଉଡ଼ିବ ଭବେ

ସରିଯିବ ଶଠତାର ଛନ୍ଦ, କୂଟନୀତି ଭଜିବ

ବିଲୟ, ସତ୍ୟର ବିଜୟବାଣୀ ଦୋଷିବେ ସମସ୍ତେ ।

ଉଠିଯିବ ଜଗତରୁ ଅନ୍ୟାୟ ତାଲିକା ।

ଉଡ଼ଯିବ ଧୂଳିପରି କୂଟ ଷଡ଼ଯନ୍ତ୍ର;

ତେଣୁ ଗାନ୍ଧୀ ଅବତାର, ପରମ ପୁରୁଷ ।

ଧରା ପୃଷ୍ଠେ ଜନ୍ମି ସଦା କରନ୍ତି ଘୋଷଣା

ନୁହେଁ ଏହା ସତ୍ୟ, ନୁହେଁ ଏହା ନ୍ୟାୟ

–କେହି ଶଠତା ପଣରେ ଭୁଞ୍ଜିବ

ପରମ ସୁଖ ଚିରକାଳ ପାଇଁ, ଅନ୍ୟ ମରିବ କ୍ଷୁଧାରେ

ତାଙ୍କ ସଙ୍ଗେ ଭକ୍ତ, ଶ୍ରେଷ୍ଠ ଜହର, ପଟେଲ

ମାଲବ୍ୟ,ସୁବାସ ଆଦି ତପସ୍ୱୀ ପରାଏ

ମାତା ଆଜୀବନ ତାଙ୍କ ମନ୍ତ୍ର ହୋଇ ଧନ୍ୟ-

ଆମ୍ଭ ବଳର ପ୍ରାଧାନ୍ୟ ।

ପଥେ ପଥିକ, ଉନ୍ନତ ସେ ପଥ;

ଲଙ୍ଘିଯିବ ଧର୍ମବଳେ ଭୀଷଣ ସଂକଟ,

ବର୍ଷନ୍ତି ଆଶୀଷ ସ୍ୱର୍ଗୁ ଜଗତ କରତା, ନାହିଁ ଚିନ୍ତା

ପୂର୍ବେ ଉଇଁ ଆସେ ଭାନୁ ଧରି ନବ ଜ୍ୟୋତି,

ଆଉ ଅସମ୍ଭବ ନୁହେଁ ଭାରତର ମୁକ୍ତି ।

 

ଶ୍ରୀ ଗୌରାଙ୍ଗ ଚରଣ ମହାନ୍ତି

Image

 

ଆକାଶ କଇଁଆ

 

ନଣ୍ଡା କହେ ମୁହିଁ କାଟିବି ଟେରି

ଛୋଟା କହେ ଯିବ ବଦେଶ ଫେରି ।

ଅନ୍ଧ କହେ ମୁହିଁ ଦେଖିବି ଆର୍ଶୀ

ହାତଖଣ୍ଡୀ କହେ ଧରିବି ବାର୍ଶୀ ।

ଜଡ଼ା କହେ ମୁହିଁ ଗାଇବି ଗୀତ

ବୁଢା ଚାହେଁ ନବ ଯୁବତୀ ଚିତ୍ତ ।

ମାଖୁନା କହଇ ମୋଡିବି ନିଶ

ଏଥିକି ମୁଁ ଅବା କହିବି କିସ ?

ବେପାରି ଧରୁଛି ଶାସନ ଦଣ୍ଡ

କହିବି କଅଣ ନିଜେ ତ ଭଣ୍ଡ ।

ବରଫ କହଇ ମୁଁ ଚାହେଁ ପାଣି

ଦରିଆ ଯାଉଛି ଲବଣ ଆଣି ।

ଟେରା କହେ ମୁହିଁ ଚାହିଁବି ବାଙ୍କ

ମଣା ଗୋରୁ କହେ କେ ହେବ ହାଁଙ୍କ ।

ମାତାଲ କହୁଛି ପିଇବି ଭାଙ୍ଗ

ଧନୀ ଲୋଡ଼ୁଅଛି ଅପଣା ସାଙ୍ଗ ।

ବିଷଧର ସାପ ଲୋଡ଼ୁଛି ବିଷ

ଏଥିକି ମୁଁ ଅବା କହିବ କିସ ?

ଧନୀ ରାଜା ହୋଇ,ନେଉଛି ଲୁଟି

କଅଣ କହିବି ତା ହାତେ ଚୁଟି ।

ମାଟି ଯାଉଅଛି ଆଣିବ ପାଣି

କୁଟା ଯାଉଅଛି କୁହୁଳା ଆଣି ।

ବାଳୁତ ଯାଉଛି ଧରିବ ସାପ

ପେଟ ଲାଣ୍ତିଆ ଯେ ଖୋଜୁଛି ବାପ

ବାଘ ହେବି ବୋଲି କହୁଛି ଭୁଆ

ମୟୁର ହେବାକୁ ଚାହୁଁଛି କୁଆ ।

ଦୁବ ଘାସ ଯାଏ ଆଣି ଜିନିଷ

ଏଥିକି ମୁଁ ଅବା କହିବି କିସ ?

ନାଚୁଛି ଶାସକ ହୁଗୁଳା ଅଣ୍ଟି

କଅଣ କହିବି ପଡ଼ିଛି ତଣ୍ଟି ।

 

ଶ୍ରୀ ନିତ୍ୟାନନ୍ଦ ମହାପାତ୍ର

Image

 

ନାହିଁ ଅବସର

 

ନୀରବ ନିଶ୍ଚିନ୍ତ ସୁପ୍ତ ରାଜବନ୍ଦୀ ଗଣ

ରୁଦ୍ଧ କକ୍ଷେ କାରାଗାରେ ପ୍ରହରୀ ବେଷ୍ଟିତ

ନିଃଶବ୍ଦ ବିଶାଳ କାରା ନିସ୍ତବ୍ଧ ରଜନୀ,

ପ୍ରହରୀର ସୋପାନହ ପଦକ୍ଷେପ ମାତ୍ର

ଶୁଭେ କକ୍ଷ ଚଉପାଶେ ଭାଙ୍ଗି ନୀରବତା ।

ମଧ୍ୟେ ମଧ୍ୟେ ବାଷ୍ପଯାନ ଘର୍ଘର ଶବଦ

ବ୍ୟର୍ଥ କରେ ନିଶୀଥରେ ନିଶବଦ ଭାବ

ଶୃଗାଳର ହୁକେ ଡାକ ପ୍ରହର-ଜ୍ଞାପକ

କାରାର କୃତିମ ଘଣ୍ଟା ବାଦ ସାମୟିକ

ଶୁଭେ କକ୍ଷ ମଧ୍ୟ ଭେଦି କାଗର ପ୍ରାଚୀର,

କେତେ କଥା ବାହାରର କରାଇ ସ୍ମରଣ ।

ନିଶୀଥେ ପ୍ରକୃତିଳୀଲା ବର୍ଣ୍ଣିବି ଜେସନ ?

ରୁଦ୍ଧ ଗୃହେ ଅନ୍ଧ ପ୍ରାୟ ବସି ମଧ୍ୟ ରାତ୍ରେ ।

ନ ଦିଶେ ଆକାଶ ଅବା ଜୂଳୁ ଜୂଳୁ ତାରା

କ୍ଷୟଗାମୀ ଚନ୍ଦ୍ରମାଙ୍କ ମଧୁର ବାରତା,

ବିଚ୍ଛିନ୍ନ ପ୍ରକୃତି ଠାରୁ,ବିଚ୍ଛିନ୍ନ ଧରାରୁ;

ବନ୍ଦୀ ଘରେ ଅର୍ଦ୍ଧରାତ୍ର ବିଚିତ୍ର ପ୍ରକାର,

ସ୍ତିମିତେ ଜଳୁଛି ଦୀପ ରୁଦ୍ଧ କକ୍ଷ ମଧ୍ୟେ;

ଗାଢ଼ ନିଦ୍ରା ଅଭିଭୁତ ବନ୍ଦୀ ଶାନ୍ତି-ସେନା;

କମ୍ବଳ ଆବୃତ୍ତ ହୋଇ ଆପାଦ ମସ୍ତକେ;

ଦାରୁଣ ଶୈତ୍ୟର କୋପ ନ ପାରି ସମ୍ଭାଳି,

ଜାନୁ ନେଇ ବକ୍ଷ ପାଶେ ହୋଇ ଜାକିଜୁକି,

କୂର୍ମ ପରି ପଡ଼ିଛନ୍ତି ନିଶ୍ଚିନ୍ତ ମନରେ ।

ନିଦ୍ରାର ଆବେଶେ ତେଜି ଦୀର୍ଘ ଶ୍ୱାସମାନ,

ମେଣ୍ଟାନ୍ତି କାରାର କ୍ଲାନ୍ତି ଉଦବେଗ ଯେତେକ,

ଚାହିଁ ଦେଲି ସ୍ୱପ୍ନ ସମ ଦେଖିଲେ ଯେ ଦୃଶ୍ୟ

ପୂରିଗଲା ଏ ହୃଦୟ, କେତେ ଭାବ ରାଶି

କଲା ଆଲୋଡ଼ିତ କ୍ଷୁଦ୍ର ଚିନ୍ତା ଶକ୍ତି ମୋର,

ହେଲି ମୁଁ ଅବଶ କ୍ରମେ ବାହ୍ୟଞାନଶୂନ୍ୟ;

ନୁହେଁ ସେ ଜାଗ୍ରତ ଅବ। ନିଦିତ ଅବସ୍ଥା ।

କେବଳ ଚୈତନ୍ୟ ମାତ୍ର ଥାଏ ମୋ ଜୀବିତ ।

–ଦେଖିଲି ଅଭୁତ ଦୃଶ୍ୟ ଏହି ଅବସ୍ଥାରେ-

ରୋମାଞ୍ଚ ହୁଅଇ କଥା ମନେ ପଡ଼ିଗଲେ ।

ଅଭୁତ ସେ ଅଭିନୟ ଅଭୁତ କାହାଣୀ;

ସ୍ଵପ୍ନ ନୁହେଁ ମିଥ୍ୟ ନୁହେଁ ସତ୍ୟ, ସତ୍ୟ ତ।ହା ।

ଦେଖିଲି ପହିଲେ–ଏକ ଅସ୍ପଷ୍ଟ ଆଲୋକ

କାହୁଁ ଆସି,ଧୀରେ ଧୀରେ ମାଡ଼ିଗଲା କକ୍ଷ,

ଏ ଆଲେକ ହେଲା କ୍ରମେ ପୃଷ୍ଟୁଁ ପୃଷ୍ଟତର;

ଉଭାସିତ ହେଲା ଗୃହ ଅଭୂତ ପ୍ରକାରେ ।

ସହସା ଉଦିତ ହେଲେ ଶତ ଚନ୍ଦ୍ର ଅବା :

ସେହି ରୁଦ୍ଧ କକ୍ଷେ, ଏତେ ଉଜ୍ଜ୍ୱଳ ଆଲୋକ

ଦେଖିଲି ମୁଁ ତହୁଁ, ସୁପ୍ତ ବନ୍ଦୀଙ୍କ ଆସନେ ।

ଛାୟା ମୂର୍ତ୍ତି ଏକ ଏକ ଚିନ୍ମୟ ଶରୀର

ନଥିଲା ଶରୀର ମାତ୍ର ଚିହ୍ନି ହେଉଥାଏ ।

କିଏ କେଉଁ ମାନବର ସୂକ୍ଷ୍ମ ପ୍ରତିକୃତି

ସୁପ୍ତ ବନ୍ଦୀ ପ୍ରତ୍ୟେକଙ୍କ ଆତ୍ମିକ ଶରୀର ।

ଛାଡ଼ି ସୃପ୍ତ ସ୍ଥୂଳ ଦେହ କରନ୍ତି ବିହାର–

ନିଜ ବସନାନୁସାରେ; ଅଭୂତ ଏ ଦୃଶ୍ୟ ।

ସ୍ଥୂଳ କର୍ମେନ୍ଦ୍ରିୟ ଶୂନ୍ୟ, ନାହିଁ ତାଙ୍କ ଭାଷା

ଚିନ୍ତାହିଁ ତାଙ୍କର ଭାଷ, ବୁଝୁଥଲି ମୁହିଁ

ନପାରନ୍ତି ଜାଣି କେହି କାହାକୁ ସେମାନେ,

ପ୍ରତ୍ୟେକ ଜାଣୁଛି ନିଜେ ଅଛଇ ଏକାକୀ ।

ନ ପାରନ୍ତି ମୋତେ କେହି ଜାଣିତ ସେମାନେ

ନିଜ ନିଜ ଭାବ ନେଇ ବ୍ୟାକୁଳ ସମସ୍ତେ ।

କିଏ ବା ବିରସେ ବସି ଏକମନେ ଭାବେ

ବିରହ ଶୟନେ ସୁପ୍ତ ପ୍ରେମିକାର କଥା ।

ବହୁ ଦୂରେ ପ୍ରଣୟିନୀ ସୁଦୀର୍ଘ ବିରହ

କରାଏ ଅସ୍ଥିର ତାକୁ, ହୁଏ ଛନ୍ନ ଛନ୍ନ;

ମନ କରେ ଉଡ଼ିଯିବ କାରଗାର ଡେଇଁ ।

(ମାତ୍ର) ବାନ୍ଧି ରଖେ ସ୍ଥୂଳ ଦେହ ଶତ୍ରୁ ହସ୍ତେ ବନ୍ଦୀ,

ଏ ନର୍ମ୍ମମ ବଳତ୍କାରେ ଅସହ୍ୟ ଯାତନା

ଭୋଗୁଛି ସେ ଛାୟା ମୂର୍ତ୍ତି ସ୍ପଷ୍ଠ ଯାଏ ଜଣା ।

କିଏ ବା ଭାବୁଛି ନିଜ ମାତୃ ସ୍ନେହ କଥା,

ମାଆ ସଙ୍ଗେ 'ହୋଇ ନାହିଁ ଦେଖା କେତେ ଦିନୁଁ

କିଏ ବା-ଭାବୁଛି ଦୀନ ପରିବାର ଦୁଃଖ,

ଅନାହାରେ ପଡ଼ିଥିବେ ପତ୍ନୀ ପୁତ୍ର ସର୍ବେ,

ନ ଥିବେ କେହି ସେଠାରେ ସହାୟ ହେବାକୁ

କାହାର ପଡୁଛି ମନେ ନିଜ ଶିଶୁ ମୁଖ,

ଚୁମ୍ୱଟିଏ ଦେବା ପାଇଁ ହୁଏ ସେ ବ୍ୟାକୁଳ ।

କିଏ ବା ଆସିଛି ଛାଡ଼ି ଗର୍ଭବତୀ ପତ୍ନୀ

ଶୁଣିଛି ସନ୍ତାନଟିଏ ଜନ୍ମିଛି ତାହାର ।

ଦେଖି ନାହିଁ ଶିଶୁ ମୁଖ; କେବେ ସେ ଦେଖିବ

ଦୀର୍ଘ ଦୁଇ ବର୍ଷ ପରେ; (ଭାବି) ହୁଏ ସେ ଅସ୍ଥିର ।

କିଏ ବା ଭାବୁଛି ଘର କରଛି ନିଲାମ

ଆଦାୟ କରିବାପାଇଁ ସରକାର ତଣ୍ଡ ।

ଯାଇଛି ସମ୍ପତ୍ତି ସବୁ; ନିସ୍ୱ ତା କୁଟୁମ୍ୱ ।

ଦିଶୁ ନାହିଁ ବୁଦ୍ଧି କଛି ପ୍ରତିକାର ପାଇଁ ।

କେହି ଅବା ପୀଡ଼ାଗ୍ରସ୍ତ, ଭାବୁଛି ଅନ୍ତିମ

ଅବସ୍ଥା ତାହାର ଆସି ହେଲା ଉପଗତ ।

ବନ୍ଦୀଶାଳେ ନ ପାରିବ ଦେଖି କାହା ମୁଖ ।

ଏକେ ତ ମୃତ୍ୟୁର ଶଙ୍କା, (ପୁଣି ସ୍ୱଜନ ବିଚ୍ଛେଦ)

ଆକୁଳ କରାଏ ତାକୁ, ବିଷଣ୍ଣ ହୃଦୟ ।

କିଏ ବା ଭାବୁଛି ହେବ କେକେ ଅବସାନ

ପିଶାଚ ରାଜତ୍ୱ ହେବ ସ୍ଵରାଜ ସ୍ଥାପନ !

ଅତ୍ୟାଚାର ଅତ୍ୟାଚାର ଲିଭିଯିବ କେବେ

ଭାବୁଛି ଈଶ୍ୱର ଆଉ ନାହାନ୍ତି କି ସତେ !

କିଏ ଅବା ଭାବୁଅଛି ତା’ ବିହୁନେ ଯୁଦ୍ଧ

ଚାଲୁଛି କପରି ଦେଶେ ନ ପାରୁଛି ଜାଣି;

ବନ୍ଦୀ ହେବା ଦିନୁ ତା’ର ନିଶ୍ଚେ ଯୁଦ୍ଧ ବନ୍ଦ-

ଅଭିମାନୀ ଏହିପରି ଚିନ୍ତାରେ ଅସ୍ଥିର ।

କେହି ଅବ। ଧୀର ସ୍ଥିର ପ୍ରଶାନ୍ତ ଚେତସ

ସମ୍ପି ଦେଇ ବିଧାତାଙ୍କ ହାତେ କର୍ମଫଳ,

ଅଚଳ ବିଶ୍ୱାସ ରଖି ତାଙ୍କର ବିଚାରେ,

କର୍ତ୍ତବ୍ୟ କରୁଛି ସେବି ରହୁଛି ନିଶ୍ଚଳ ।

ଏହି ପରି ଦୃଶ୍ୟ ଦେଖି ହୋଇଲି ବ୍ୟାକୁଳ

ଭାବିଲି କେଉଁଠି ମୁହିଁ କେଉଁ ରାଜ୍ୟ ଏହି;

ସ୍ତବ୍ଧ ହୋଇ ନିରେଖିଲି ଚତୁର୍ଦ୍ଦିଗ ମୋର;

ଭୟ ଭିତ ସବିସ୍ମୟେ ଦେଖିଁ ଏକ ଦଗୁଁ

ଆସୁଛନ୍ତି ଦିବ୍ୟ ଦୁଇ ଉଜ୍ଜ୍ୱଳ ମୂରତୀ ।

ଅଗ୍ନି ରେ ତିୟାରି ଅବା ଚନ୍ଦ୍ରିକା ରଚିତ,

ନାସ। ତଳେ ବୀରକେଶ ଏ କର ସୁଦୀର୍ଘ

ବଳିଷ୍ଠ ତାହାଙ୍କ ଅଙ୍ଗ ବୀରର ଗଠନ ।

ବଦନୁ ବିକଶୁ ଅଛି ବୀରତ୍ୱର ଆଭା;

ସୁନ୍ଦର ଉଷ୍ଣୀଶ ଏକ ଶୋଭଇ ମସ୍ତକେ ।

ତାଙ୍କ ପଚ୍ଛେ ଶୁଶ୍ରୁଶାଳୀ ଆସେ ଅନ୍ୟ ମୁର୍ତ୍ତି

ଧିରେ ପଦ କ୍ଷେପେ, ଅନୁସରେ ଚିନ୍ତାମଗ୍ନ ଭବେ-

କ୍ଷୁଦ୍ରକାୟ, ମୁଖଦ୍ୟୁତି ଉଛାହ-ବ୍ୟଞ୍ଜକ;

ଅନାବୃତ୍ତ ଶିର ତାଙ୍କ ଅନାବୃତ ଗାତ୍ର ।

କଟି ଦେଶେ ଅଛି ମାତ୍ର କ୍ଷୁଦ୍ର ବସ୍ତ୍ର ଖଣ୍ଡେ ।

ନିଠେଇ ଦେଖିଲି ମୁହିଁ ଏ ଦୁଇ ମୂରତି

ନ ପାରିଲି ଚିହ୍ନି, ସେହି ପ୍ରଥମ ବ୍ୟକ୍ତିଙ୍କୁ ।

ଦେଖି ନାହିଁ କେବେ ତାଙ୍କୁ ଅବା ତାଙ୍କ ଚିତ୍ର ।

ଦ୍ୱିତୀୟ ମୁରତି ଏତ ସେହି ଦେଶ ପ୍ରାଣ

ଦରିଦ୍ରଙ୍କ ପାଇଁ କାନ୍ଦି, କାନ୍ଦି ଯେ ମହାତ୍ମା ।

ହୋଇ ତନୁ ଖିନ୍ନ ଶେଷେ ଛାଡ଼ିଲେ ସଂସାର

ସେହି ଗୋପବନ୍ଧୁ, ମୃତ ସେତ ବହୁଦିନ ପୂର୍ବୁଁ ।

ସେ ପୁଣି ଆସିଲେ କାହୁଁ ? ସଙ୍ଗୀ ତାଙ୍କ କିଏ ?

ଆଶ୍ଚର୍ଯ୍ୟ ଲାଗିଲା ମୋତେ ସମସ୍ତ ଘଟଣା

ସୁପ୍ତ ରଜବନ୍ଦୀଙ୍କର ଛାୟା ମୂର୍ତ୍ତି ସବୁ

ସ୍ତବ ନେତ୍ରେ ଅନାଇଲେ ଦିବ୍ୟ ମୂର୍ତ୍ତି ଦ୍ୱୟେ ।

ସମ୍ଭ୍ରମେ ନମିଲେ କେହୁ ଗୋପବନ୍ଧୁ ପଦେ;

ଅନ୍ୟେ ନ ପାରିଲେ ଚିହ୍ନି ହୋଇଲେ ସ୍ତମ୍ଭିତ ।

କହିଲେ ଅଦ୍ଭୁତ ସ୍ୱରେ ଧୀରେ ଗୋପବନ୍ଧୁ

ଆହ୍ୱାନି ବନ୍ଦୀ ସୈନିକେ-“ଶୁଣ ଭାଇମାନେ,

ଆସିଛନ୍ତି ମହାରାଜା ମୁକୁନ୍ଦ ମୋ ସଙ୍ଗେ

ଉତ୍କଳର ଏହି ଶେଷ ସ୍ଵାଧୀନ ନୃପତି ।

ଯବାନଙ୍କ ଆକ୍ରମଣ ବାରମ୍ବାର ରୋଧି

ଦେଖାଇ ଅଭୁତ ଶୈାର୍ଯ୍ୟ ଏ ଭାରତ ଦେଶେ-

ଅବଶୋଷ ହେଲେ ହତ ଗେଙ୍ଗୁଟି ତୀରରେ ।

ନୁହେଁ ଶତ୍ରୁ ପରାକ୍ରମେ, (ନିଜ) ସୈନ୍ୟ ଅବିଶ୍ୱାସେ”

ଏତିକି ଶୁଣିଣ ରାଜା ହୋଇଲେ ଚଞ୍ଚଳ

ନେତ୍ର ଦ୍ୱୟୂ ଅଗ୍ନି କଣା ହୋଇଲା ନିର୍ଗତ ।

ବାଧା ଦେଇ ପଣ୍ଡିତଙ୍କୁ କହିଲେ ସତେଜେ,

“ନ ପକାଅ ମନେ ମୋର ସେ ପୂରୁଣା କଥା ।

ସ୍ମରଣ ମାତ୍ର କେ ଜଳେ ଅଷ୍ଟାଙ୍ଗ ମୋହର ।

ମୋହରି ସମୟେ ହେଲା ଦେଶ ପରାଧୀନ ।

ଏହି ଚିନ୍ତା ଘାରେ ମୋତେ ମୃତ୍ୟୁପରେ ସୁଦ୍ଧା ।

ଶତ ଶତ ବର୍ଷ ହେଲା ନ ପାରୁଛି ଭୁଲି ।

ପରାଧୀନ ଦେଶ ମୋର ବହୁକାଳ ପରେ

ଜଡ଼ତା ଆଳସ୍ୟ ଛଡ଼ି ମାତିଛି ସମରେ ।

ପାଇବାକୁ ଫେରି ସେହି ସ୍ଵାଧୀନତା ଧନ ।

ଉତଫୁଲ୍ଲ ହୃଦୟ ମୋର, ଥାଇ ଏହି ଲୋକେ

ଅସହ୍ୟ ଯନ୍ରଣା ଲଭେଁ, ନାହିଁ ନରଦେହ ।

ଥୁଲେ ମୁଁ ଦିଅନ୍ତି ଆଣି ଅହିଂସା ସମରେ

ମହାତ୍ମଙ୍କ ଧ୍ୱଜା ତଳେ କରନ୍ତି ଲଢାଇ ।

ବଳତ୍କାର ଦେଶ ଭାଗ୍ୟ ଆଣନ୍ତି ଫେରାଇ

ଦୁର୍ନାମ ମୋହର ନାମୁଁ ହୋଇ ଯାନ୍ତା ଦୂର ।

(ମାତ୍ର) ନାହିଁ ତା ମୋ ଭାଗ୍ୟ ଲେଖା, ଅଶରୀର ମୁହିଁ ।

ନ ପାରିବି ଦେହେଁ ଲଢ଼ି–ମାତ୍ର ଆଶା ମୋର,

ରହିଛି ରୁମର ସାଥେ-ହୁଅ ଅଗ୍ରସର ।

ତିଳେ ହେଲେ ଅବସାଦ ନ ଆଣ ମନକୁ ।

ଯେତେଦିନ ରହିଥିବ ଏ ଦେଶ ଅଧୀନ,

ରକ୍ତ,ମାଂସ ପେଷିଦିଅ ସ୍ଵାଧୀନତା ରଣେ ।

ତୁଚ୍ଛ ମଣ ଯେତେ କଷ୍ଟ ପଡ଼ୁଅଛି ଆସି ,

ନିଜର ସ୍ୱାଚ୍ଛନ୍ଦ୍ୟ ସୁଖ ଫିଙ୍ଗି ଦିଅ ଦୂରେ ।

ମନେ ରଖ ସୈନ୍ୟ ତୁମେ, ଦୁଃଖ ତୁମ ସଖା ।

ତୁମରି ସହିବା ଦୁଃଖ ହେବ ମୂଳ ଭିତ୍ତି

ସ୍ଵାଧୀନତା ଦେବୀଙ୍କର, ବିଶାଳ ମନ୍ଦିର

ନିର୍ମାଣିବ ତୁମେ ତାକୁ କାଳ କାଳ ଲାଗି ।

ପୂଜିବେ ତୁମକୁ ତୁମ ଭାବୀ ବଂଶଧର;

ନିନ୍ଦୁଥିବେ ମୋତେ କହି ଦେଶ କୁଳାଙ୍ଗାର ।

କୋଣାର୍କ, ଭୁବନେଶ୍ୱର, ପୁରୀର କୀରତି

ନୋଇଁବ ମସ୍ତକ ତୁମ ପୂଣ୍ୟ କୀର୍ତ୍ତି ଆଗେ ।

ନାହିଁତ ଜୀବନ-ତୁମ ମହତ ସୈାଭାଗ୍ୟ

ରଖ ହେ ପ୍ରତିଜ୍ଞା ତୁମ ନଜର କୁଳରେ ।

ଜାତି ଦେଶ ତଥା ନିଜ ନିଜ ବଂଶଧରେ

ଆଉ ନ ପାରିବି କହି, ଏ ନିର୍ଲଜ ମୁଖେ

ମୁହିଁ ସିନା ନିନ୍ଦା ପଏ ତୁମ ବଂଶ ମଧ୍ୟେ ।

ସହସା ନିରବ ହେଲେ ଶ୍ରୀ ମୁକୁନ୍ଦ ଦେବ ।

ରହିଲେ ସେ ଅଧୋମୁଖେ କେତେକ୍ଷଣ ଯାଏ ।

(ତହୁଁ) ସମ୍ବୋଧିଲେ ଗୋପବନ୍ଧୁ ଅଳପେ ରହି ସେ

ରାଜା ମୁକୁନ୍ଦଙ୍କ ମୁଖେ “ନିନ୍ଦ୍ୟ କି ଆପଣ ?

(ତେବେ) ନ ଜାଣେ ଜଗତେ କେବ। ଅଟଇ ପୂଜାହଁ ?

ଆପଣଙ୍କ ତେଜ ଶୌର୍ଯ୍ୟ ବହୁଥିଲ ବୋଲି

ରକ୍ତ ସଙ୍ଗେ, ଧମନୀରେ ଉତ୍କଳ ବଂଶୀର ,

ଶତ, ଶତ ବର୍ଷବ୍ୟାପୀ ଅଧୀନତା ପରେ,

ହୋଇଲ ସମ୍ଭବ ପୁଣି ସ୍ୱାଧୀନତା ରଣ।

ଆପଣଙ୍କ ଆଶୀର୍ବାଦ ଆଣିବ ଉତ୍ସାହ,

ଉଡ଼ାଇବ ଜୟ ଧ୍ୱଜା ଭରତ ଗଗନେ ।

ତହୁଁ ଅନାଇ ବନ୍ଦୀଙ୍କ କହିଲେ ପଣ୍ଡିତ

'ଛଳ, ଛଳ ଆଖି–ସ୍ୱର ଶୋକ ଗଦ ଗଦ

ସହୁଅଛ କେତେ କଷ୍ଟ ସହିବ ଯେ କେତେ

ନାହିଁ ମୁଁ ତୁମର ସାଥେ ହେବାକୁ ସାଥୀଟି

ଭାଗ୍ୟବାନ–ତୁମେ ଭାଗ୍ୟ ହିନ ନୁହ ।

ମୋ ସମୟେ ଆରମ୍ଭିଲା (ମୋହରି ସମୟେ)

ନହେଲା ତା ସାଙ୍ଗ ମୋ ଜୀବବ୍ଦଶା କାଳେ

ତୁମ ହାତେ ହେବ ତାହା ସମାପ୍ତ ନିଶ୍ଚିତ,

ରଖିବ ଅକ୍ଷୁଣ୍ଣ ଯଶ ତିନି ଲୋକେ ବ୍ୟାପି,

ଭୋଗୁଛି କିଛି ମୁଁ ଦେଶ ସ୍ୱାଧୀନତା ପାଇଁ

ନିଭାଇଛି ଅଙ୍ଗେସବୁ ଜାଣେ ଭଲ କରି ।

କି ଦୁଃଖ ସାଗର ମଧ୍ୟେ ଯାଉଛି ପହଁରି ।

କେତେ ଚିନ୍ତା ତୁମ ମନ କରେ ଆଲେଡ଼ନ ?

ସାହିଯାଅ ବାବୁ ମାନେ ଧୀର ସ୍ଥିର ମନେ

ତୁମର ସାହିବ ହେବ ଶତ୍ରୁ ନାଶ ମନ୍ତ୍ର ।

ଵିନ୍ଦୁଏ ଲୋତକ ପେବେ ଧର୍ମବୀର ନେତ୍ରୁ

ବହିଯାଏ, ତେବେ ତାହା ଦେବଙ୍କର ଅସ୍ତ୍ର

ଜାଣ ସୁନଶ୍ଚିତ,ଶତ୍ରୁ ପ୍ରତି ହେଲ ବିନିକ୍ଷିପ୍ତ ।

ଦୀର୍ଘଶ୍ୱସ ଦୁଃଖ ଭରେ ଛାଡ଼ୁଛ ଯାହାକୁ,

ନୁହେଁ ତାହା ଅର୍ଥ ଶୂନ୍ୟ, ଈଶ୍ୱରଙ୍କ ଦାସ

ଶତ୍ରୁର ଉଦ୍ଦେଶ୍ୟ ତାହା ହେଉଛୁ ନିକ୍ଷିପ୍ତ ।

ବିପକ୍ଷର ଅଛି ଶତ ଅସ୍ତ୍ର ଶସ୍ତ୍ର ଚଳ,

ମାତ୍ର ଅଟେ ତୁଚ୍ଛ ତାହା ଶାନ୍ତି ଅସ୍ତ୍ର ଆଗେ ।

ନିର୍ଦ୍ଦୋଷର ଆର୍ତ୍ତନାଦ ଲୋତକ ନିଃଶ୍ୱାସ

ଏହା ଠାରୁ ବଳି ନାହଁ ଏ ଜଗତେ

ଏହି ଅସ୍ତ୍ରେ ବଳୀ ତୁମେ- ଶାନ୍ତି, ବୀରଗଣ-

ଭାବନା ତୁମର-ତହିଁ ଈଶ୍ୱର ସହାୟ ।

ନୁହଅ ଉବ୍ଦିଗ୍ନ ବାବୁ ମନେ ରଖ ସଦା

କର୍ତ୍ତବ୍ୟ ତୁମର ଶୀଘ୍ର ନହେବ ସମାପ୍ତ,

ତୁମ ନିଜ ହାତେ ହେବ ପୂର୍ଣ୍ଣ ସ୍ଵାଧୀନତା

ଦୂର ହେବ ପୂର୍ଣ୍ଣମାତ୍ରେ ଅଧୀନତା ଗନ୍ଧ ।

ଦରିଦ୍ର ଏ ଦେଶ ହେବ ପୁଣି ଧନ ଭରା

ଅନ୍ନାଭାବେ ବସ୍ତ୍ରାଭାବେ ନରହିବେ କେହି ।

ହା ହା କାର ପରିବର୍ତ୍ତେ ହାସ୍ୟଭୋଳ ଯେବେ

ଉଠିବ ଏ ଦେଶେ, ତେବେ ହେବ ସମାପତ,

ତୁମର କର୍ତ୍ତବ୍ୟ, ତେବେ ଲଭିବ ବିଶ୍ରାମ,

ତେତେ ଦିନ ଯାଏଁ ତିଳେ ନାହଁ ଅବସର

ସରିନାହିଁ ତାଙ୍କକଥା, ଭାଙ୍ଗିଲା ସ୍ଵପନ;

ଆସିଲା ମୋ ଫେରି ପୂବ ଅବସ୍ଥା ଯା ଥିଲା ।

ଦେଖିଲି ସମସ୍ତେ ସୁପ୍ତ ଜାଗ୍ରତ ମୁଁ ଏକା

ରୁଦ୍ଧ କକ୍ଷେ ଅର୍ଦ୍ଧରାତ୍ରେ କାରାଗାର ମଧ୍ୟେ ।

ବନ୍ଦୀଙ୍କର ସୂକ୍ଷ୍ମ ରୁପ ଦିବ୍ୟ ମୂର୍ତ୍ତିଦ୍ୱୟ ।

ଅଦ୍ଭୁତ ସେ ଦୃଶ୍ୟ ଅଉ ଦେଖି ନ ପାରିଲି ।

ଭାବିଲି ସେ କଥା ପୁଣି ଆଶା ରଖି ମନେ,

ପୁଣି ଯଦି ସେହି ରାଜ୍ୟେ ଦେଖିବି ସେ ଦୃଶ୍ୟ !

ନହେଲ ବା ମାତ୍ର ଆଉ ହେଲେ ମୁଁ ନିରାଶ

ସେତକି ଦେଖିଲି; ତାହା ଗୁଣି ହେଲି ମନେ ।

 

ଶ୍ରୀ ହରେକୃଷ୍ଣ ମହତାବ

Image

 

ଦୋଳ ପୂର୍ଣ୍ଣିମା

 

ଆର୍ଯ୍ୟ ଗୌରବ ପ୍ରତିଭା କାହିଁ ଗଲା ଆଜି,

ଅସୁନ୍ଦର ଦିଶେ ଧରା ଭୀରୁତାରେ ମଜ୍ଜି ।

କାହଁ ମୋ ପୁଣ୍ୟ ଭାରତ ରଣ କ୍ଷେତ୍ର ସ୍ଥଳି ।

ଫଗୁ ଖେଳେ ଖେଳୁ ଥାନ୍ତା ଶୋଣିତ କୁ ଢାଳି !

ଲାଲେ ଲାଲ ହୋଇ ଆଜି ଉଠନ୍ତା ଉନ୍ମାଦେ,

ଡାକୁଥାନ୍ତା ବଇରୀକୁ ଭୌରବ ନିନାଦେ ।

ବାଜନ୍ତା ଗୌରବ ବାଜା ଫୁଙ୍କି ରଣଭୋରି

ଲୁଚିଥାନ୍ତା ଅତ୍ୟାଚାରି ପ୍ରାଣ ଥରି ଥରି !

ଆସୁଛି ପାଖେଇ ଦୂରେ ଫଗୁ ଚାଦ ଖେଳି,

ଲଗିଛି ଜାତିର ଆଜି ସମରର ଦୁରି ।

କମ୍ପଇ ମୋ ପୂଣ୍ୟ ଦେଶ ବଇରୀ ଅଘତେ

କମ୍ପାଇ ଆସ ତୋ ଗାତ୍ର ବିରଧୂର ଗୋତ୍ରେ ।

ଆସ ମୋ ପଲୀ ଯୁବକ ତୋର ପଲ୍ଲୀ ପଥେ

ଖେଳିବା ଏ ଫଗୁ ଖେଲ ସ୍ଵାଧୀନତା ଅର୍ଥେ ।

ବୁଲିବା ଧ୍ୱଂସ ଯୁଗର ଶୋଣିତ ସାଗରେ,

ଭସାଇବା ଅତ୍ୟାଚାରି ଶବ ମାଳେ ମାଳେ ।

ଆଣିବା ବିଜୟଲକ୍ଷ୍ମୀ ବୁଡି ରତ୍ନଗର୍ଭେ

ତେବେ ଟି ସଭିବ ଧରା ପୂରୁବ ଗୌରବେ ।

ଯୁଦ୍ଧର ସଚିବ ରଣସିଂହ ମୋତିଲାଲ,

ଡାକନ୍ତି ଅଦୂର ଦେଶେ ଘେନି ବୀର ମାଲ୍ୟ ।

 

ଶ୍ରୀ ବାଳକୃଷ୍ଣ ସାହୁ

Image

 

ବିଡ଼ମ୍ୱନା

 

ଊନବିଂଶ ଶତାବ୍ଦୀର ବିଖ୍ୟାତ ଦିବସେ

ଶୁଭକ୍ଷଣେ ଭୂମିଷ୍ଠ ମୁ ହେଲି ପୁଣ୍ୟ ବାସେ ।

ନାମ ଜାଦା ଘର ମୋର କେନ୍ଦୁ ପାଟଣାରେ

ସମସ୍ତଙ୍କୁ କେନ୍ଦୁ ଦେଉ ନବାତ ପଣାରେ

ବାପା ମୋର ମାମଲତକାର ନାମ ଲକ୍ଷ୍ମୀପତି

ଖାଇବାକୁ ଘରେ ନାହିଁ କୁଣ୍ଡା ଅବା ବୋତି

ଶୁଣ ଶୁଣ ନାମ ଗୋଟି ମୋର ଶଶଧର

ଦିନେ ଦେଖିଥିବା ଯିଏ ବାନ୍ତି ହେବ ତାର ।

 

ପିଲାଦିନୁ ସବୁବେଳେ ମନ ମୋ ପାଠରେ

ଫଢ଼ା ସାରି ଦେଲି ଜମା ଆଠ ବରଷରେ

ଭାରିଖୁସି ହୋଇ ବାପା ବହୁ ପ୍ରଶଂସିଲେ

ମୋ ଅବସ୍ଥା କଥା ଭାବି ସ୍ଵର୍ଗପୁର ଗଲେ ।

ତାପରେ ମିଳିଲା ମତେ ବହୁତ ସୁବିଧା

ନାଚି, କୁଦି, ବୁଲିଲି ମୁଁ ନ ମାନିଣ ବାଧା

ରୋଜଗାର କରିବାକୁ ବଳିଲା ମୋ ମନ

ବିଭାହେବି ବୋଲି ଗଲି ଅର୍ଜିବାକୁ ଧନ ।

 

ଟହ ଟହ ହୋଇ ବୁଲି ହେଟା ବାଘ ପରି

ଶେଷେ ଏକ ରାଜା ଘରେ ହୋଇଲି ପ୍ରହରୀ

ଏକ ଦିନେ ରାଜାଝିଅ ଚେହେରାଟା ଦେଖି

ଏକ ବେଳେ ମନ ପ୍ରାଣ ତାଠି ଗଲା ଲାଖି ।

ଭାବିଲି ବିଭା ହୁଅନ୍ତି ଯେବେ ୟା ସାଙ୍ଗରେ

ମଉଜରେ କେନ୍ଦୁଖାନ୍ତି ବରଷା ପାଗରେ ।

ଦିନେ ରାଜା ରାଣୀ ତାଙ୍କ ଝିଅକୁ କହିଲେ

ବିଭା କରି ଦେବି ୟାକୁ ଦେଖି ଦୁଷ୍ଟ ତୁଲେ

ସେହି ଦିନୁ ଭାବିନେଲି ମୋ ଭାଗ୍ୟେ ନିଶ୍ଚୟ

ଘଟିବ ଏସ୍ୱର୍ଗ ସୁଖ, ମାନେ କଲି ଲୟ ।

 

ସେହି କଥା ଭାବି ଭାବି କେତେ ଦିନ ଗଲା

ରାଜ କନ୍ୟା ସ୍ଵୟମ୍ବର ଦିନ ପହଁଚିଲା ।

କେତେ ରାଜ ମହାରାଜା ସାଜ ସଜା ହୋଇ

ପହଁଚିଲେ ଆସି ସେଠି ସ୍ଵୟଂମ୍ବର ପାଇଁ ।

ଏହା ଦେଖି ମନ ମଧ୍ୟେ ବଢ଼ିଲା ସାହସ

ଖଇନି ଟିକିଏ ଖାଇ ହେଲି ବେଶ ବାସ ।

ନାକରେ କାନରେ ଦିଟା ଭାତ ଗୁଞ୍ଜିଦେଇ

ଡିଆଁ ମାରି ଏକଦମ ଗଲି ହଜାର ହୋଇ ।

ଗେଞ୍ଜି ହୋଇ ଯାଇଥିଲି ଫାଟକ କଡରେ

ଜଗୁଆଳି ପ୍ରହରୀଟା ଦେଲାକ ପାହାରେ ।

କାନ୍ଦୁଣି ମାନ୍ଦୁଣି ହୋଇ ସେଠାରୁ ଖସିଲି

ମରୀଚିକା ମାତ୍ର ଭାବି ତା ଆଶା ଗଡିଲି ।

 

ଶ୍ରୀ ଚକ୍ରଧର ଶତପଥି

Image

 

ଉବ୍ଦୋଧନ

 

ନୀରବ ଶର୍ବରୀ ସୁପ୍ତ ଚରାଚରେ

ନିଦ୍ରା ମାୟା ମନ୍ତ୍ରେ ପଡ଼ିଅଛି ଭୋଳେ

ଜଣେ ତହିଁ କେହି ଭାଙ୍ଗିବା ଏହି ଶ୍ରାନ୍ତି

ବିଶ୍ୱବାସୀ ସ୍ତୁପ୍ତି ଲଭି ଦିବା ଶାନ୍ତି ।

ବହୁ ଦୂରୁ କେବେ ଭାସି ଆସେ ଥରେ,

କ୍ଷୁଧାର୍ତ୍ତ ଶୃଗାଳ ଵିକଟ ଚିତ୍କାରେ,

ଟିଟ୍ଟିଭ ନିସ୍ୱନ ଶିଶୁର ରୋଦନ–

ନିଶୀଥିନି ହୁଏ କ୍ଷଣକେ ଭୀଷଣ ।

ମନ୍ଦ ବହେ ବାହା ଦକ୍ଷିଣ ଦିଗରୁ,

ଆଣେ ସୁବାସିତ ପୁଷ୍ପ ଗନ୍ଧ ଦୂରୁଁ ।

କୁଲୁ କୁଲୁ ବହେ କ୍ଷୀଣ ନିର୍ଝରିଣୀ

ଭେଦି ଗିରିଗୁହା, କ୍ଷେତ୍ର, ଅରଣ୍ୟାନି ।

ଧାଏଁ ଏକ ଧ୍ୟାନେ ସାଗର-ସଙ୍ଗମେ,

ବିଟପ ଯେସନେ ଲଙ୍ଘି ବାଧା, ବିଘ୍ନେ ।

ମୁକ୍ତାକାଶ ଯେହ୍ନେ ନୀଳାଭ ବିତାନ-

ଖଞ୍ଜା ଯହିଁ ତାରା ହୀରକ ସମାନ ।

ସୁଧାଂଶୁ ବିରାଜେ ତାରକା ବେଷ୍ଟିତ

ରଜତ କଣିକା ବାଣ୍ଟେ ଅବିରତ ।

ସୁପ୍ତ ବିଶ୍ୱବାସୀ ଯେ ଯାହା ଆଗରେ ।

କିଏ ସେ ଯୁବକ ଲୋଟେ ବୃକ୍ଷତଳେ ?

ସୁଗଠିତ-ତନ୍ତୁ ସ୍ଫୀତ ମାଂସପେଶୀ

ସୁଦୀର୍ଘ ଲଲାଟ, କୁଞ୍ଚା କେଶ ରାଶି

ସମସ୍ତ ଶରୀର ଶୁଭ୍ର ବସ୍ତ୍ର ବୃତ,

ଉପାଧାନ ତାର ନିଜ ବାମ ହସ୍ତ ।

ଜଣାଯାଏ ସେହି ଉଚ୍ଚ କୂଳୋଦ୍ଭୂତ

ନିଦ୍ରା-ବିମୋହିତ ଯେଣୁ ପଥଶ୍ରାନ୍ତ ।

ଏମନ୍ତେ କାଟିଲା ନିଶି ତିନି ଯାମ,

ଚତୁର୍ଥ ପ୍ରହରେ କଲା ପଦାର୍ପଣ ।

ସପନେ ଯୁବକ ବିସ୍ଫାରିତ ଆଖୀ,

ଦେଖିଲା ରମଣୀ ଛବି ନିରିମାଖି,

ମାନବୀ ନୁହଇ ଦେବୀ ପ୍ରତିମାଟି

ଦେବୀ ପ୍ରଭା ଦେହେ ଯାଇଛି ଚହଟି ।

କ୍ରମେ ଆସି ମୂର୍ତ୍ତି ଯୁବା ଶିରୋପରି

ବସିଲେ ତାହାର ଶିର କୋଳେ ଧରି ।

ସ୍ନେହ ଭୋଲେ ଦେବୀ ଉଠାଇ ଧଇଲେ

କୋଳେ ଧରି ତାଙ୍କୁ ଶିରେ ଚୁମ୍ବ ଦେଲେ ।

ମାତୃ ସ୍ନେହଭରା ବାଳକ ପରାଏ

ଯୁବ ନେତ୍ରୁ ଅଶ୍ରୁଧାରା ବହିଯାଏ ।

ଭାବାବେଶେ ଯୁବ ସ୍ନେହବୋଳା ସ୍ଵରେ

ଚାହିଁ ଦେବୀ ମୁଖେ କହେ ଆବେଗରେ–

"ମାତ ! କିଏ ତୁମେ କିବା । ପରିଚୟ–

କିମ୍ପା କୋଳେ ଧରି ବସିଅଛି ? କହ ।

ମାନବୀ ନୋହୁ ତୁ ଦେବୀ ପ୍ରତେହୁଏ

ତୋ ମଳିନ ବେଶ ମୋ ହୃଦ ଦହେ ।

ସଧବା ବିଧବା ବାରି ହୁଏ ନାହିଁ–

ଶରୀରେ ତୋର ଆଭରଣ କାହିଁ ?

କିମ୍ପା ବୁଲି ବୁଲି ସାନ୍ୟାସିନୀପରି,"

କିମ୍ପା ଚନ୍ଦ୍ରାନନ ପଡିଛି ମଉଳି ?

ପ୍ରତିଜ୍ଞା ମୋହର ଶୁଣ ଆଗୋ ମାତ,

ଶେଷ ରକ୍ତ ବିନ୍ଦୁ ତୋ ପାଇଁ ବାଞ୍ଛିତ ।

କହୁଁ କହୁଁ ଯୁବ ଦେବୀ କ୍ରୋଡେ ଉଠି

ପଦ ପ୍ରାନ୍ତେ ଦେଖ ପଡିଗଲା ଲୋଟି ।

ଉଠି ନତଜାନୁ, କୃତାଞ୍ଜଳୀ ପୁଟେ

ବିରାଜିତ ଯେହ୍ନେ ବିତ୍ର ଚିତ୍ରପଟେ ।

ତେଣୁ ଧାଇଁଅଛି ମନରେ ଉଚ୍ଚାଟେ

ସାହାଯ୍ୟ ମାଗିବି ଯଦି କହି ଭେଟେ ।

ବିଶ୍ଵବ୍ୟାପୀ ଲୋକେ ନିଜ ନିଜ ସ୍ୱାର୍ଥ

ପୂରାଇବା ଆଶେ ରହିଛନ୍ତି ବ୍ୟସ୍ତ ।

ନିରୂପାୟ ଅସହାୟ ତୋର ମାତା

ଭିକାରୁଣୀ ବେଶେ ପ୍ରଚାରେ ବାରତା ।

ନାହିଁକି କର୍ତ୍ତବ୍ୟ ତୋହର ମୋ ପ୍ରତି

ଇଛୁ କି ନ କହ ସେହି ସୁଖଶାନ୍ତି ?

ମରଣକୁ କର ପ୍ରଥମ ସୋପାନ-

ଜୀବନ୍ମୁକ୍ତି ଆଶେ ଦିଅରେ ଜୀବନ ।

ଟେକି ହାତ ଦୁଇ ଶୁଷ୍କ ଭୂମି ପରେ

ଭାଜିଗଲା ନିଦ୍ରା ଉଠେ ଖର ତରେ ।

ଭାଷା-ଛଟା କଲା ତରୁଣ ଆରତି

ଯୁବା ମନ ଭରି ଗାଏ ସ୍ୱପ୍ନଗୀତି ।

 

ଶ୍ରୀ ଗଜେନ୍ଦ୍ରନାଥ ସାହୁ

Image